Khyamanukampadhara He

କ୍ଷମାନୁକମ୍ପାଧର ହେ
(Kabisurjya— Raga Kedara Kamodi, Tala Tripata)
(କବିସୂର୍ଯ୍ୟ— ରାଗ କେଦାର କାମୋଦୀ, ତାଳ ତ୍ରିପଟା)

Khya Patala — Kisorachandrananda Champu
କ୍ଷ ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

କ୍ଷମାନୁକମ୍ପାଧର ହେ
କ୍ଷୀରସାଗର ସମ୍ଭବା କୁଚକୁମ୍ଭ ଯୁଗଳ
ପରିରମ୍ଭ ଚତୁର ହେ । ଘୋଷା ।

କ୍ଷିତି ଚକ୍ରବାଳ ମହାଭୀତି ନିବାରଣ ହେ
ଶ୍ରୁତିଶିର ଅବତଂସାକୃତି ଶ୍ରୀଚରଣ ହେ
ମରାଳ ବିହରଣ କରାର୍ଚ୍ଚିତ ଚରଣ
ଧରାଭାର ହରଣ ଚରାଚର ଶରଣ
ତରାବର କିରଣ ବରାବର ଚରଣ
ନଖାଂଶୁ ସୁରଗଣ ଶିଖାଭରଣ ହେ । ୧ ।

କ୍ଷଣେ ହେଲେ ନାମକୁ ନ ଭଣେ ମୁଁ ତୁମ୍ଭର ହେ
ଜଣେ ତ ହେବାରୁ ପାପିଗଣେ ବିଶ୍ଵମ୍ଭର ହେ
ମନା ନ କର ହିତ ଅନାଦର ରହିତ
ଅନାଉଣି ନିରତ ଚୂନା କରୁ ଦୂରିତ
ଅନାରତ ମୋ ଚିତ୍ତ ମନାସୁଛି ଅହିତ
ଜନାର୍ଦ୍ଦନ ପତିତ ଜନାବହିତ ହେ । ୨ ।

କ୍ଷମ ତ ମୁଁ ନୁହେ ଅନୁପମ ଅନୁଭାବ ହେ
ଯମ ଦଣ୍ଡରୁ ମୋ ରକ୍ଷା କେମନ୍ତଟି ହେବ ହେ
ଜଳାକର ଭବନ ବଳାସୁଖ ଭୁବନ
ବଳାହିତ ରତନ ବଳାବରଜ ଜନ
କଳାପର ବୃଜିନଦଳା ସୁକୃତଧନ
ବଳାଢ୍ୟ ମୁନିମନ କଳାପି ଘନ ହେ । ୩ ।

କ୍ଷମାଧିପ ଜଗଦ୍ଦେବ ସମାପନ କରେ ହେ
ଶ୍ରମାର୍ତ୍ତ ହେବାରୁ ଭବ ଭ୍ରମାତିଶୟରେ ହେ
ବ୍ୟଥା ନିବହ ହର ପ୍ରଥା ଚଳୁ ମିହିର
ପଥାନ୍ତରକୁ ହର ରଥାଦିରୁ ଅମର
ମଥାମଣି ନିକର ରଥାଙ୍ଗଯୁତ କର
କଥା ବିନୟ ମୋର ବୃଥା ନ କର ହେ । ୪ ।