Bichakhyana Re Bina To Priti

ବିଚକ୍ଷଣା ରେ ବିନା ତୋ ପ୍ରୀତି
(Kabisurjya— Raga Saberi, Tala Jati)
(କବିସୂର୍ଯ୍ୟ— ରାଗ ସାବେରୀ, ତାଳ ଯତି)

Ba Patala — Kisorachandrananda Champu
ବ ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

ବିଚକ୍ଷଣା ରେ
ବିନା ତୋ ପ୍ରୀତି କେ ଗତି ଅଛି ଜଗତୀରେ । ଘୋଷା ।

ବୋଲି ଦେଲି ସିନା ଗେଲେ ହସି
ବିଶ୍ୱେ ତୋ ସମ କାହିଁ ବିଶ୍ୱାସୀ
ବାନ୍ଧିବାକୁ ମୋ ମନ ତୁ ପାଶି
ବିଶେଷରେ ମୋ ହୃଦନ୍ତର ତୋତେ ଜଣା ରେ । ୧ ।

ବିଶ୍ୱମ୍ଭରା ରଜ ଖେଳା କାଳୁଁ
ବହିଃପ୍ରାଣ ପରି ପରିପାଳୁ
ବିଧିବଶୁ ନିସର୍ଗ କୃପାଳୁ
ବ୍ରଜେ ହେଉଛି ଏହି ଡିଣ୍ଡିମ ବାଜଣାରେ । ୨ ।

ବିକେ କିଣେ ଯେ ଯାହାକୁ ସ୍ନେହେ
ବଡ଼ ତାଠାରୁ ଜୀବନ ନୋହେ
ବଳ ତାହାଠାରେ ସିନା ସହେ
ବହିରଙ୍ଗେ ବୁଲୁଛନ୍ତି ଦେଖ ଅଗଣାରେ । ୩ ।

ବୋଲେ ଅଷ୍ଟଦୁର୍ଗର ମଘବା
ବଲ୍ଲୀ ନିକଟକୁ ଚାଲ ଯିବା
ବଂଶୀ ଗୀତ ପୀୟୂଷ ପୀଇବା
ବିଭାବରୀ ନ ପାହୁଁ ଆସିବା ଅଜଣାରେ । ୪ ।