Lagi Lagi Sangini Mote

(Gopalakrusna— Raga Kaphi, Tala Rupaka)
(ଗୋପାଳକୃଷ୍ଣ— ରାଗ କାଫି, ତାଳ ରୂପକ)

ଲାଗି ଲାଗି ସଙ୍ଗିନୀ ମୋତେ
ସରି କି ପକାଇଦେଲୁ ମୋହନ ହାତେ । ଘୋଷା ।

ନାହିଁ ନାହିଁ କରୁଥିଲି
ଫୁଲ ତୋଳି ଯିବି ବୋଲି
ଘେନିଗଲୁ ଯେ ଭୁଲାଇ
କୁଞ୍ଜବନକୁ ସଙ୍ଗତେ । ୧ ।

କେବେ ହେଲେ ସେ ବିଚାର
ସହି ତାଙ୍କର ତୋହର
ଅଲଙ୍ଘ୍ୟ ପତିବରତ
ବ୍ରତ ନାଶିଲୁ ଇଷିତେ । ୨ ।

ବୃନ୍ଦା ଜାଣିଗଲେଣି ତ
ସଙ୍ଗିନୀଯାକ ଯାବନ୍ତ
ହସି ମାଳା ଦେଲେ ଆଜି
ପଶି ମୋହର ପୁରତେ । ୩ ।

ବରଜଯାକ ଶୁଣିବେ
ଶ୍ରୀ ପୌର୍ଣ୍ଣମାସୀ ଜାଣିବେ
ଚନ୍ଦ୍ରାବଳୀ ପରି ରାଧା
ହେଲା ବୋଲିବେ ଜଗତେ । ୪ ।

ଗୋପାଳକୃଷ୍ଣ କହଇ
ସେପରିରେ ମୁଁ ନୁହଁଇ
ସରିଛି ବିହାର ସବୁ
ଧୂଳିରେ ନାହିଁ କିଞ୍ଚିତେ । ୫ ।