Chandrabadani Rama

ଚନ୍ଦ୍ରବଦନୀ ରାମା
(Bhimadeba— Raga Sankarabharana, Tala Ekatali)
(ଭୀମଦେବ— ରାଗ ଶଙ୍କରାଭରଣ, ତାଳ ଏକତାଳି)

ଚନ୍ଦ୍ରବଦନୀ ରାମା
ରସେ ରସାଉ କି ନାରେ । ଘୋଷା ।

ଦଣ୍ଡକ ମଦନରେ ଦେଲା କେତେ ଦଣ୍ଡ
କାଣ୍ଡ ତୂଣୀରୁ କାଢ଼ି କାଟୁଅଛି ପିଣ୍ଡ
ଗଣ୍ଡରୁ କର ତେଜି ଚୁମ୍ବନ ମଣ୍ଡ
ଭଣ୍ଡନା ଅନାରେ । ୧ ।

ଅନ୍ତର କଲେ ମୁଁ ଯେ ହୋଇବି କାହାର
କର ଧରି କହୁଅଛି ଶୁଣ ରାମାବର
କାତର ଦେଖି ମୋର ଚିତ୍ତେ ଦୟା କର
ଗୁମାନୀ ହୋ ନାରେ । ୨ ।

ଦ୍ୱନ୍ଦ ଲଗାଇ ତୁ ମନ୍ଦ ମନ୍ଦ ହସ
ଛନ୍ଦ ଦେଇ ଗଳାରେ ବାନ୍ଧ ବାହୁପାଶ
ଅନ୍ଧକାର ଦିଶିଲାଣି କନ୍ଦର୍ପର ତ୍ରାସ
କେ କଲା ମନା । ୩ ।

ସାର କରି କଥାଏ ନ କହିଲୁ ମୋତେ
ହାର କରି ଗଳାରେ ବାନ୍ଧିଥିଲି ତୋତେ
ବାରମ୍ବାର ଭୀମଦେବ କହଇ ଏ ଗୀତେ
ଶ୍ରୀଫଳ ସ୍ତନା । ୪ ।