(ଶ୍ୟାମସୁନ୍ଦର— ରାଗ ଆନନ୍ଦଭୈରବୀ, ତାଳ ଆଠତାଳି)
କୁଳଶୀଳ ଛାଡ଼ିଲି
ଶ୍ୟାମେ ଅନାଦର ହେବି ବୋଲି ଗୋ । ଘୋଷା ।
ବଳ କଲି ମନେ ଖଳକୁ ବଚନେ
ନିଜ ଜନ କେ ତେଜିବ ଗୋ
ସ୍ଥଳ ବିଶେଷରେ ବିପରୀତ ଫଳ
କି ଅଦୃଷ୍ଟ ମୋର ଭାବ ଗୋ । ୧ ।
ହସାଇବେ ପର ବସାଇ ପାଶର
ଏହା ମୁଁ ଜାଣି ନ ଥିଲି ଗୋ
ଦଶା ଅବଳରୁ ସିନା କଳ୍ପତରୁ
ସେବି ଯାତନା ଲଭିଲି ଗୋ । ୨ ।
ଦିନେ ହେଲେ ପୁଣି ସାରାସାର ସବୁ
ମନକୁ ମନ ବୁଝିବ ଗୋ
କାନେ କହି ଯେହୁ ପ୍ରୀତି ଭେଦ କଲା
କେଉଁ ସୁଖ୍ୟାତି ଅର୍ଜ୍ଜିବ ଗୋ । ୩ ।
ସଖା ହୋଇ କରି ମଧୁ ଉପକାରୀ
ହେବେ ବୋଲି ମନେ ଥିଲା ଗୋ
ପ୍ରକାଶନ୍ତେ ସିନା ଅନ୍ତରଙ୍ଗ ଗୁଣ
ବହିରଙ୍ଗରେ ମଜ୍ଜିଲା ଗୋ । ୪ ।
ଯେତେ ଯେତେ ପରାଭବ ଦେଲେ ହେଲେ
ତାଙ୍କ ଲାଗି ଜୀବ ଯିବ ଗୋ
କେତେ ନିଷ୍ଠୁର ହୃଦୟ ଶ୍ୟାମବନ୍ଧୁ
ଠାରେ ସବୁ ଜଣାଯିବ ଗୋ । ୫ ।