Anti Jaichi Koti Gunare

ଅଣ୍ଟିଯାଇଛି କୋଟିଗୁଣରେ
(Syamasundara— Raga Kamodi, Tala Ekatali)
(ଶ୍ୟାମସୁନ୍ଦର— ରାଗ କାମୋଦୀ, ତାଳ ଏକତାଳି)

ଅଣ୍ଟିଯାଇଛି କୋଟିଗୁଣରେ ପ୍ରିୟସଖି
ଜଟି କହିଲେ ଆଉ କି ହେବ ଗୋ । ଘୋଷା ।

ପାଞ୍ଚିଥିଲି ମୁଁ ଚିତ୍ତେ ସ୍ନେହ ବଳିଛି ଯେତେ
ସେ କି ମନରୁ ଭିନ୍ନ ହୋଇବ ଗୋ
ସଞ୍ଚିଥିବାର ଚିନ୍ତାମଣି କି ଦୋଷ ମଣି
ଛଡ଼ାଇ ନେଲା ପୁଣି ଦଇବ ଗୋ । ୧ ।

ଯେ ଜାଣିବ ମାନସ ବିଚ୍ଛେଦାନଳ ତ୍ରାସ
ସେ ସିନା ସାରାସାର କହିବ ଗୋ
ହେଜି କାଚକଳଶ ତୁଟିଲା ପରି ଆଶ
ନାଶଗଲେ କି ଯୋଡ଼ିହୋଇବ ଗୋ । ୨ ।

ହେଲି ଅପରାଧିନୀ ଶ୍ୟାମରେ ଗୋ ସଜନୀ
ତାହା ପଛକେ ଦେହ ସହିବ ଗୋ
କେବେ ନୋହୁ ମାନିନୀ ଆମ୍ଭ ଚନ୍ଦ୍ରା ସଜନୀ
ଏତିକି ମୋ ବିନତି କହିବ ଗୋ । ୩ ।

କା ଆଗେ ଏହା କହି ଯାହା କଲେ ଗୋ ସେହି
ତାହା ଭାବିଲେ ହୃଦ ଦହିବ ଗୋ
ଲୋଡ଼ିଲେ ସୁଖ କାହିଁ ଶ୍ୟାମସୁନ୍ଦର କହି
ଯାହାରେ ଯାହା ମନ ମୋହିବ ଗୋ । ୪ ।