Mane Na Dhara Ete Antaku Go

ମନେ ନ ଧର ଏତେ ଆଣ୍ଟକୁ ଗୋ
(SyamasundaraEkatali)
(ଶ୍ୟାମସୁନ୍ଦରଏକତାଳି)

ମନେ ନ ଧର ଏତେ ଆଣ୍ଟକୁ ଗୋ
ଦିନେ ସେ ହୋଇବ ନଅଣ୍ଟକୁ ଗୋ
ଭାଳି ହୋଇବୁ ସିନା ନ ପୂରିବ କାମନା
ବିଚ୍ଛେଦେ ହେବୁ ଛଟପଟକୁ ଗୋ । ଘୋଷା ।

କାନେ ଶୁଣାଇଁ ବଂଶୀ ତୋ ଚିତ୍ତକୁ ଆଶ୍ୱାସି
ଡାକନେବ ଯମୁନାତଟକୁ ଗୋ
ମାନ ମହତ୍ୱ ସାରିଦେବ ପୁଣି ଆହୁରି
ବସାଇବ କଳଙ୍କ ହାଟକୁ ଗୋ । ୧ ।

ଆଳି ସଙ୍ଗେ ପାଣିକି ଗଲେ ପଣନ୍ତ ଝିଙ୍କି
ନେଇ କରିବ କେତେ ହଟକୁ ଗୋ
କହୁଛି ଘେନ ଏତେ ନ କରିବୁ ପରତେ
ସହି ତୁହି ସେ ପୀତପଟକୁ ଗୋ । ୨ ।

ମୁଖେ ମଧୁର ହାସ ବାଣୀ ଛଣାପୀୟୂଷ
କହି ତୋଷିବ ତୋର ଘଟକୁ ଗୋ
ଦେବ ଗୁମାନ ସାରି ଆରେ ନବକିଶୋରୀ
କେବଳ ଜଗି ଘାଟ ବାଟକୁ ଗୋ । ୩ ।

ଶ୍ୟାମସୁନ୍ଦର ନତ ଶିର କରି ନିୟତ
ଜୁହାରୁଛି ତାଙ୍କ କପଟକୁ ଗୋ
ମୁଁ କହିବାର ଥାଉ ଯେବେ ବଳିବ ଦାଉ
ଜାଣିବୁ ତେବେ ନଟକୂଟକୁ ଗୋ । ୪ ।