(ଶ୍ୟାମସୁନ୍ଦର— ରାଗ ପୂରବୀ, ତାଳ ଆଠତାଳି)
ପୋଡ଼ୁ ମୋ କରମ ମନ୍ଦ ଗୋ । ପ୍ରିୟସଖି ।
କିଏ ଯାଉନାହିଁ ଯମୁନାଜଳକୁ
ମୁଁ ଗଲେ ଲାଗଇ ଦ୍ୱନ୍ଦ ଗୋ । ଘୋଷା ।
ପଡ଼ୁଅଛି ଡକା ଏ ବ୍ରଜରେ ଏକା
ମୋ ନାମରେ ଅପବାଦ ଗୋ
ସଡ଼ୁଅଛି ମୁହିଁ ମାତ୍ର ନାହିଁ ନାହିଁ
କଲେ କି ହେବ ପସନ୍ଦ ଗୋ । ୧ ।
ଜଡ଼ୁନାହିଁ କେହି ଏ ଗୋପରେ ସହି
ଶୁଣି ଶ୍ୟାମ ବଂଶୀନାଦ ଗୋ
ଲୋଡ଼ୁଛନ୍ତି ମୋର ଛିଦ୍ରଭେଦ ପରି
କିଏ ଜାଣେ ଏତେ ଛନ୍ଦ ଗୋ । ୨ ।
ଛାଡ଼ୁନାହିଁ ପ୍ରାଣ ଏ ପିଣ୍ଡରୁ ଜାଣ
କାହିଁକି ସହି ପ୍ରମାଦ ଗୋ
ବଢ଼ୁଅଛି ମୋର ସନ୍ତାପସାଗର
କି ନ କହଇ ନଣନ୍ଦ ଗୋ । ୩ ।
ଯୋଡ଼ୁଅଛି କର ଏ ଶ୍ୟାମସୁନ୍ଦର
ଲଭିବାରୁ ସେ ସମ୍ପଦ ଗୋ
ଗଡ଼ୁଥିବ ଶିର ମୋର ନିରନ୍ତର
ସେହି ନନ୍ଦସୁତ ପଦ ଗୋ । ୪ ।