Dekha Dekha Sakhi Nipamule Ubha

ଦେଖ ଦେଖ ସଖୀ ନୀପମୂଳେ ଉଭା
(Anonymous— Raga Anandabhairabi, Tala Ekatali)
(ଅଜ୍ଞାତ କବି— ରାଗ ଆନନ୍ଦଭୈରବୀ, ତାଳ ଏକତାଳି)

ଦେଖ ଦେଖ ସଖୀ ନୀପମୂଳେ ଉଭା
ସେ ଶ୍ୟାମ ମନମୋହନ ।
କୋଟି ସୃଷ୍ଟି ସାର । ପ୍ରେମ ପାରାବାର ।
ବୃଷଭାନୁସୁତା । ହୃଦୟରତନ ।
(ପଡ଼ି)
ତ୍ରିଭଙ୍ଗ ବାଙ୍କଠାଣି ମନ ନେଉଛି କିଣି
ଶିରେ ବାନ୍ଧିଛି ଜୂଡ଼ା କେତକୀଦଳେ ପୁଣି
ଚିତ୍ତ ଚମକେ ଦେଖି ତା ଚଞ୍ଚଳ ଚାହାଣୀ
ଅପୂର୍ବ ଅପଘନ ନୀଳେନ୍ଦ୍ରମଣି ଜିଣି । ୧ ।

ଭାଲେ ଗୋରୋଚନା ଚନ୍ଦନ ଚର୍ଚ୍ଚିତ
ଚାହାଁ ଗୋ ଚନ୍ଦ୍ରବଦନା ।
ମଦନ ମୋହନ । ବଦନ ଶୋଭାକୁ ।
ଶତ ରତିପତି । ନୋହିବ ତୁଳନା ।
(ପଡ଼ି)
କର୍ଣ୍ଣେ ହେମକୁଣ୍ଡଳ ଜିଣି ରବିମଣ୍ଡଳ
ନାସାରେ ଗଜମୋତି ଦିଶେ କେଡ଼େ ମଞ୍ଜୁଳ
ରକ୍ତରାଗ ରଞ୍ଜିତ ଗଣ୍ଡସ୍ଥଳ ଯୁଗଳ
ମଧୁ ଅଧରେ ମୃଦୁ ସୁହାସ ମଧୁର । ୨ ।

ଶ୍ରୀକରେ ମୋହନ ମୁରଲୀ ଶୋଭନ
ବଜାଇ କରେ ଉଚ୍ଛନ୍ନ ।
ହୃଦେ କଉସ୍ତୁଭ । ମଣିମୟ ହାର ।
ଦେଖି ନ ଚଳେ । (ମୋହର) ନୟନ ।
(ପଡ଼ି)
ପିନ୍ଧିଛି ପୀତପଟ ନବନାଗର ଧିଟ
ପଦେ ନୂପୁର ଧ୍ୱନି ଚିତ୍ତ କରେ ଉଚ୍ଚାଟ
ସେ ଚରଣକମଳେ ମୋ ମନ ମଧୁଲିଟ
ପରାଏ ଥାଉ ରହି ତେଜି କୂଟ କପଟ । ୩ ।