(ପୀତାମ୍ବର ଦେବ— ରାଗ ଆହାରୀ, ତାଳ ସରିମାନ)
ଯା ରେ ଧନ ତୁ ମୋ ବାରେ ନ ସଙ୍ଖଳୁ
କାରେ କି ଶୁଣି । ଘୋଷା ।
ରାଣ ଅଛି ପରମାଣ ବନ୍ଧୁ ତୁ ମୋ
ଟାଣପଣ କି ସରି ।
ବସନ କରି ଖୋଲସା । ମାନେ ବସିଛୁ ସୁରସା ।
ଦଶନେ ଦନେ ତ୍ରିଦଶା । ଦଶା ମୋ ଦୁର୍ଦ୍ଦଶା ଶ୍ରେଣୀ । ୧ ।
କାର୍ଯ୍ୟ ଅଛି କିରେ ରାଜୀବନୟନା
ବ୍ୟାଜ ଦୋଷକୁ ଧରି ।
ହରପର ସ୍ମରେ ମଜ୍ଜି । ମରମରେ ଗଲା ବାଇ ।
କରମେ ଥିଲି ଅରଜି । ଭରମେ ଅଂଗି ସୁଶ୍ରେଣୀ । ୨ ।
ନାଶ ଗଲି ଧନ ଭାଷ ସୁବଚନ
ହାସ ମିଶ୍ରିତ କରି ।
ତୋ ବଚନ ତୀକ୍ଷ୍ଣମୁନ । ହୃଦ କରେ ବିଦାରଣ ।
ସ୍ମର ହୋଇଛି ପଠାଣ । ଟାଣି ନେବ ଏହି କ୍ଷଣି । ୩ ।
ଆଳି ଆଳି ଗଣେ ପାଳି ପାଳି କରି
ଗାଳି ଶୁଣି ତୋହରି ।
ଅବିରତେ ସେବିଥିବି । ପାଶରୁ କେବେ ନ ଯିବି ।
ନବୀନବୟସୀ କବି । ପୀତାମ୍ବର ଦେବ ଭଣି । ୪ ।