Year : 1970
ପୂର୍ବେ ନିଖିଳ ଭାରତରେ ଏକମାତ୍ର ସଙ୍ଗୀତ ଚଳୁଥିଲା । ଆଜିର ପରି କର୍ଣ୍ଣାଟକୀ, ହିନ୍ଦୁସ୍ଥାନୀ ଓ ଓଡ଼ିଶୀ ଇତ୍ୟାଦି ବିଭିନ୍ନ ପଦ୍ଧତି ନଥିଲା । ଖ୍ରୀଷ୍ଟୀୟ ୧୧୦୦ ମସିହାରେ ଏ ଦେଶ ଉପରେ ବୈଦେଶିକ ଆକ୍ରମଣ ପରେ ଏ ଦେଶର ସଙ୍ଗୀତ, କଳା, କୃଷ୍ଟି ଓ ସଂସ୍କୃତିର ଯେତେବେଳେ ପରିବର୍ତ୍ତନ ଘଟିଲା ସେତେବେଳେ ସଙ୍ଗୀତ କ୍ଷେତ୍ରରେ ପ୍ରାନ୍ତୀୟତାର ରୂପ-ରେଖ ଧାରଣ କଲା ।
ଆନୁମାନିକ ତୃତୀୟ ଶତାବ୍ଦୀରେ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ର ହେଉଛି ପ୍ରଥମ ଗ୍ରନ୍ଥ । ଅବଶ୍ୟ ନାରଦଙ୍କ ନାରଦୀୟ ଶିକ୍ଷା ଗ୍ରନ୍ଥଟି ପ୍ରଥମ ଶତକର ବୋଲି କୁହାଯାଉଛି । କିନ୍ତୁ ନାଟ୍ୟଶାସ୍ତ୍ର ଭଳି ବିରାଟ ଗ୍ରନ୍ଥ ସେ ନୁହେ । ନାଟ୍ୟ-ଶାସ୍ତ୍ର ଦେଖିଲେ ଜଣାପଡ଼ୁଛି ଯେ, ତୃତୀୟ ଶତକରେ ରାଗର ଶବ୍ଦ ମୋଟେ ନାହିଁ । ସେତେବେଳେ କେବଳ ଜାତିଗାୟନ ପ୍ରଥା ଚଳୁଥିଲା ।
ରାଗ ଶବ୍ଦର ଆବିଷ୍କାର ମତଙ୍ଗ ମୁନିଙ୍କ ବୃହଦ୍ଦେଶୀ ଗ୍ରନ୍ଥରେ (୭ମ ଶତକ) ଦେଖିବାକୁ ମିଳେ । ନବମ ଶତାବ୍ଦୀରେ ଆନୁମାନିକ ଆଚାର୍ଯ୍ୟ ନାରଦ ସଙ୍ଗୀତ ମକରନ୍ଦ ଗ୍ରନ୍ଥରେ ରାଗ-ରାଗିଣୀ, ପୁତ୍ର, ପୁତ୍ର-ବଧୂ ଇତ୍ୟାଦି ଏକ ବିସ୍ତୃତ ପରିବାର ସୃଷ୍ଟି କରିଛନ୍ତି । କିନ୍ତୁ ଏ ପ୍ରଥା ସର୍ବଜନାନୁମୋଦିତ ହେଲାଭଳି ମନେ ହେଉ ନାହିଁ । ସେ ଯାହାହେଉ, ରାଗ-ରାଗିଣୀ ସୃଷ୍ଟି ତଥା ଏହି ପ୍ରଥାର ପ୍ରଥମ ପ୍ରବର୍ତ୍ତକ— ସଙ୍ଗୀତ ମକରନ୍ଦକାର ଆଚାର୍ଯ୍ୟ ନାରଦ, ଏ କଥାକୁ ଅସ୍ୱୀକାର କରି ପାରିବେ ନାହିଁ । ମାଧବ ବିଦ୍ୟାରଣ୍ୟ ଆନୁମାନିକ ପଞ୍ଚଦଶ ଶତକରେ ଏବଂ ପୂନା ନିବାସୀ ପୁରନ୍ଦର ବିଠ୍ଠଲ, ତା’ ପରେ ପରେ ପଣ୍ଡିତ ରାମାମାତ୍ୟ, ପଣ୍ଡିତ ସୋମନାଥ, ପଣ୍ଡିତ ଲୋଚନ କବି ପ୍ରମୁଖ ନିଜ ନିଜ ମତାନୁଯାୟୀ ମେଳ ସୃଷ୍ଟି କଲେ ।
ପରିଶେଷରେ ୧୭ଶ ଶତାବ୍ଦୀରେ ପଣ୍ଡିତ ବେଙ୍କଟମଖୀ କଟପୟାଦି ଗାଣିତିକ ହିସାବରେ ୭୨ ଗୋଟି ମେଳ ସୃଷ୍ଟି କଲେ । ଜଣାଯାଉଛି ଯେ ଏହାଙ୍କ ପିତା ଗୋବିନ୍ଦ ଦୀକ୍ଷିତ ୭୨ ମେଳ ସୃଷ୍ଟି କରିଛନ୍ତି । ଏ ଦିହେଁ ଷଡ଼୍ଜ ଠାରୁ ନିଷାଦ ପର୍ଯ୍ୟନ୍ତ ଦ୍ୱାଦଶ ସ୍ଥାନରେ ଆଉ ଚାରୋଟି ସ୍ୱର କଳ୍ପିତ କରି ୧୬ ଗୋଟି ସ୍ୱରଭେଦ ଗଣନା କ୍ରମେ ୭୨ଟି ମେଳ ଉଦ୍ଭାବନ କରିଛନ୍ତି ।
ସମଗ୍ର ଭାରତରେ ରାଗ, ତାଳ ଦେଇ କେହି ଯେତେବେଳେ ଗୀତ ଲେଖି ନଥିଲେ ସେତେବେଳେ ଦ୍ୱାଦଶ ଶତାବ୍ଦୀରେ ଓଡ଼ିଆ ପୁଅ ଜୟଦେବ ଗୀତ-ଗୋବିନ୍ଦ ଗ୍ରନ୍ଥ ଲେଖିଲେ । ତଦୁପରାନ୍ତ ଦକ୍ଷିଣ ଓ ଉତ୍ତର ଭାରତୀୟ କଳାକାରଗଣ ତାଙ୍କରି ପଦାଙ୍କ ଅନୁସରଣରେ ବ୍ୟାପକ ଭାବରେ ଗୀତ ଲେଖା ଆରମ୍ଭ କଲେ । କଲେ । xxx ସେତେବେଳେ ସମଗ୍ର ଭାରତରେ ରାଗ, ତାଳ ଦେଇ କେହି ଗୀତ ଲେଖି ନଥିଲେ । ଆଜି ସାରା ଦୁନିଆ ଜୟଦେବଙ୍କୁ ସଙ୍ଗୀତର ପ୍ରବର୍ତ୍ତକ ରୂପେ ସ୍ୱୀକାର କରେ । ସେ ସଙ୍ଗୀତ ଜଗତକୁ ମହାନ୍ ଆଲୋକ ଦେଇଛନ୍ତି । ପ୍ରକୃତରେ ଦେଖିବାକୁ ଗଲେ— ଓଡ଼ିଶୀ ସଙ୍ଗୀତ ପ୍ରଥମ, କର୍ଣ୍ଣାଟି ଦ୍ୱିତୀୟ ଓ ହିନ୍ଦୁସ୍ଥାନୀ ତୃତୀୟ ହେବା କଥା । କିନ୍ତୁ କ’ଣ କରାଯିବ? ପ୍ରବାଦ ଅଛି— “ଶୋଇଲା ପୁଅର ଭାଗ ନାହିଁ” । ସେ ଯାହାହେଉ ଏବେ ବି ବେଳ ଅଛି । ଆଜି ସମସ୍ତ ଦେଶବାସୀ ତଥା ସମସ୍ତ କଳାକାର ଜାତି ଆମର ଏହି ଓଡ଼ିଶୀକୁ ଗୋଟାଏ ପ୍ରଣାଳୀ ରୂପେ ଠିଆ କରିବା ନିମନ୍ତେ ବଦ୍ଧପରିକର ହେବା ବାଞ୍ଛନୀୟ ।
ଓଡ଼ିଶାରେ ନାନାପ୍ରକାର ଅଭାବ, ଅନାଟନ, ବିଭ୍ରାଟ, ବିପର୍ଯୟ ଘଟିବା ଫଳରେ ଓଡ଼ିଶାର ସଙ୍ଗୀତ କଳା ସୁପ୍ତାବସ୍ଥାରେ ପଡ଼ି ରହିଲା । କିନ୍ତୁ ସୌଭାଗ୍ୟ କ୍ରମେ କିଛି କାଳ ହେଲା ଆମରି ସେହି ସୁପ୍ତ କଳାର ପୁନଃଜାଗରଣ କଳ୍ପେ ଚହଳ ପଡ଼ିଛି । ଫଳରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଶିକ୍ଷାନୁଷ୍ଠାନମାନେ ଆରମ୍ଭ ହେବା ସଙ୍ଗେ ସଙ୍ଗେ କେତୋଟି ବହି ଲୋକଲୋଚନ ଗୋଚର ତଥା ଶିକ୍ଷାନୁଶୀଳନ ନିମନ୍ତେ ମୁଦ୍ରିତ ହୋଇଛି ସତ; କିନ୍ତୁ ସେ ପଡ଼ୋଶୀ ରାଜ୍ୟମାନଙ୍କ ତୁଳନାରେ ସମୁଦ୍ରକୁ ଶଙ୍କେ । ଏହା ବଡ଼ ଲଜ୍ଜାର କଥା— ଆମର ସ୍ୱତନ୍ତ୍ର ଧାରା ଥିବା ସତ୍ତ୍ୱେ ଅନ୍ୟ ପ୍ରଣାଳୀରେ ରାଗ, ତାଳ ଦେଇ ଓଡ଼ିଶୀ ସଙ୍ଗୀତ ବୋଲି ଦେବାରେ କତିପୟ ତଥାକଥିତ କଳାକାର ପଛାଉ ନାହାନ୍ତି । ଏଭଳି ଅନୁଶୀଳନ କଲେ ଓଡ଼ିଶୀ ସଙ୍ଗୀତର ଯେତେ ଗୁରୁତ୍ୱ ଓ ଯେତେ ପ୍ରାଚୀନତା ଥିଲେ ମଧ୍ୟ ସେ ସ୍ୱତନ୍ତ୍ର ରୂପ ନେଇ ଠିଆ ହୋଇ ରହି ପାରିବ ନାହିଁ । ଦୁଃଖର କଥା— ଆମର ପୂର୍ବାଚାର୍ଯ୍ୟଗଣ ଶାସ୍ତ୍ରୀୟ ଗ୍ରନ୍ଥ ସ୍ୱତନ୍ତ୍ର ରୂପେ ଥୋଇ ଯାଇଥିବା ସତ୍ତ୍ୱେ ଆମ ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟ ବୋଲି କହିବା ପାଇଁ ଆମେ ପଛଉ ଥାଇଁ । ଏହାର ମୂଳ କାରଣ— ଉଦାସୀନତା ଏବଂ ‘ମାଗି ଆଣିବା ତିଅଣ ସଡ଼କେଇ’ ପରି ଆମର ଅବସ୍ଥା ହୋଇଛି ।