Prana Sajani Kehi Banchiba Jamini

ପ୍ରାଣସଜନୀ କେହି ବଞ୍ଚିବ ଯାମିନୀ
(Brajasundara Narendra— Raga Kedara Kamodi, Tala Tripata)
(ବ୍ରଜସୁନ୍ଦର ନରେନ୍ଦ୍ର— ରାଗ କେଦାର କାମୋଦୀ, ତାଳ ତ୍ରିପଟା)

ପ୍ରାଣସଜନୀ କେହି ବଞ୍ଚିବ ଯାମିନୀ । ଘୋଷା ।

ଦେଖି ନବ କାଳିକା ଆହା ବାଳିକା
କେମନ୍ତେ ବଞ୍ଚିବ ଏକା
(ପଡ଼ି)
ଝର ଝର ବରଷା ଦେଖି ଏ ରସାଭୂଷା
ଏକା ମୋ କୋଳ ଆଶା
ଏହିକାଳେ କି ଦଶା ହେଲା ଖଞ୍ଜନଦୃଶା
କି କରୁଥିବ ବନ୍ଧୁ
ଆହା ରସିକାରେ । ୧ ।

ମୋ ହୃଦୟ ତମାଳକେଶୀ ତମାଳ
ଦେଖନ୍ତେ ଏଖତମାଳ
(ପଡ଼ି)
ଏ ମହାଝଞ୍ଜାନଳ ଲାଗନ୍ତେ ନାରୀକୁଳ
ମଦନେ କି ଆକୁଳ ହେବେ ପିନ୍ଧା ଦୁକୂଳ
ଗରୁ ମଣି ସକଳ ଗଡ଼ୁଥିବ କମଳ
ଜାତ ହୋଇ ନୟନୁ
ଆହା ରସିକାରେ । ୨ ।

ଚଞ୍ଚଳରେ ଚଞ୍ଚଳା ଚମକ ଚାହିଁ
ଆହା ମୋ ସ୍ନେହୀ ଚମକୁ ଥିବ ଯେ ସେହି ।
(ପଡ଼ି)
ଏ ଘନ ଘଡ଼ଘଡ଼ି ଭେକ ଡାହୁକ ରଡ଼ି
ଶୁଣି ତନୁରେ ପୀଡ଼ି ଆଳି ପଦକୁ ଏଡ଼ି
ଅଳିପରାଏ ବେଢ଼ି ଥିବେ ନିଶି ବାସରେ
ଆହା ରସିକାରେ । ୩ ।

କରଜେ ଚିରିବ ଧରା ବିମ୍ବା ଅଧରା
କହୁଥିବ ପରା ଧୀରା
(ପଡ଼ି)
ଶ୍ରୀ ବରଜସୁନ୍ଦର ବ୍ରଜବନ୍ଧୁ ନରେନ୍ଦ୍ର
ଅନୁଜ ବୋଲେ ଇନ୍ଦ୍ର ହେବି ରସିକବୃନ୍ଦ
ମଧ୍ୟରେ ସେ ମୁକୁନ୍ଦ ଦର୍ଶନେ ପୂର୍ଣ୍ଣଚନ୍ଦ୍ର
ଚୁମ୍ବିବା ବଳେ ମୋତେ
ଆହା ରସିକାରେ । ୪ ।