(କୃଷ୍ଣଚନ୍ଦ୍ର ନୃପ— ରାଗ ଚିନ୍ତାକାମୋଦୀ, ତାଳ ଯତି)
ଅନା ଗୋ ସଖି ଅନା କଦମ୍ବମୂଳକୁ
କି ଶୋଭା ପାଉଛି ଶ୍ୟାମ ଯମୁନାକୂଳକୁ । ଘୋଷା ।
ତ୍ରିଭଙ୍ଗିମା ଠାଣି କୁଟିଳ ଚାହାଣୀ
ରଖିବ କି ସେ ଆଉ ପତିବରତି କୁଳକୁ ।
କର୍ଣ୍ଣରେ କୁଣ୍ଡଳ ଲୁଳେ ଗଣ୍ଡମଣ୍ଡଳ
ରତନବଳୟ ସାଜେ ବାହୁଯୁଗଳକୁ । ୧ ।
ଜାଇ ଜୂଇ ମାଳ ତହିଁ କେତକୀ ଦଳ
କି ରଙ୍ଗେ ମାନୁଛି ସହି ତା ବାଙ୍କ ଚୂଳକୁ
ଭାଲେ ଗୋରଚନା ଅଧର ରଙ୍ଗିମା
ମୋହନ ବଂଶୀକି ଶୋଭା କରକମଳକୁ । ୨ ।
କଟିରେ କିଙ୍କିଣୀ ପାଦେ ନୂପୁର ବାଜେଣି
ମଧୁର ଧ୍ୱନିରେ ମୋହେ ହୃଦୟ ସ୍ଥଳକୁ
ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ନୃପକୁଳଇନ୍ଦ୍ର
ଲୋଟାଇଛନ୍ତି ଶିର ସେ ଚରଣତଳକୁ । ୩ ।