(ସାଲବେଗ— ରାଗ ଚିନ୍ତାକାମୋଦୀ, ତାଳ ଯତି)
ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ ।
ମୋ ଆରତ ନଳିନୀ ବନକୁ କର ଦଳନ । ଘୋଷା ।
ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ
ଚକ୍ର ପେଷି ନକ୍ର ନାଶି ଉଦ୍ଧାରିଲ ଆପଣ । ୧ ।
କୁରୁ ସଭାତଳେ ଶୁଣି ଦ୍ରୌପଦୀର ଜଣାଣ
କୋଟି ବସ୍ତ୍ର ଦେଇ ତାଙ୍କୁ ଲଜ୍ଜା କଲ ବାରଣ । ୨ ।
ଘୋର ବନେ ମୃଗୁଣୀକି ପଡ଼ିଥିଲା କଷଣ
ଏଡ଼େ ବଡ଼ ବିପତ୍ତିରୁ ରକ୍ଷା କଲ ଆପଣ । ୩ ।
ରାବଣର ଭାଇ ବିଭୀଷଣ ଗଲା ଶରଣ
ଶରଣ ସମ୍ଭାଳି ତାଙ୍କୁ ଲଙ୍କେ କଲ ରାଜନ । ୪ ।
ଅଜାମିଳ ଡାକ ଦେଲା ଜୀବ ଯିବା ବେଳେଣ
ତେଡ଼େ ବଡ଼ ପାପୀ ଗଲା ବଇକୁଣ୍ଠ ଭୁବନ । ୫ ।
ପ୍ରହଲ୍ଲାଦ ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ
ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ । ୬ ।
ନୀଳାଚଳେ ବିଜେ କରି ବୌଦ୍ଧ ଅବତାରେଣ
ବେନି ଭୁଜ ଟେକି ପ୍ରଭୁ ଯାଚୁଅଛ ଶରଣ । ୭ ।
କହେ ସାଲବେଗ ହୀନ ଜାତିରେ ମୁଁ ଯବନ
ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ । ୮ ।