Ago Duti Aja Rati Syama Priti

ଆଗୋ ଦୂତୀ ଆଜ ରାତି ଶ୍ୟାମ ପ୍ରୀତି
(Banamali— Raga Bhairabi, Tala Rupaka)
(ବନମାଳୀ— ରାଗ ଭୈରବୀ, ତାଳ ରୂପକ)

ଆଗୋ ଦୂତୀ ଆଜ ରାତି
ଶ୍ୟାମ ପ୍ରୀତି ନୋହିଲା ଗୋ । ଘୋଷା ।

ଶେଯ କରି ମୁଁ ସୁପାତି ଜାଳିଲି କର୍ପୂର ବତୀ
ରାତିଯାକ ଉଜାଗରେ ଦେଖ ଆସି ପାହିଲା ଗୋ । ୧ ।

କାଳିଆ ପୁରୁଷ ପ୍ରୀତି ଅବଳା ନାରୀ ଯୁବତୀ
କରତି ହେଉଛି ଛାତି ଧରତୀରେ ସହିଲା ଗୋ । ୨ ।

କରିଥିଲି ପ୍ରତିଆଶା ହରି ଫେଡ଼ିବେ ଦୁର୍ଦ୍ଦଶା
ମୋଠାରେ ଏଡ଼ିକି ଦଶା କେଉଁ ନାରୀ ବିହିଲା ଗୋ । ୩ ।

ଗୀତେ କହେ ବନମାଳୀ ଏ ରସରେ ଭାଳି ଭାଳି
ବାନ୍ଧିଥିଲି ଫୁଲଗଭା ବାସି ହୋଇ ରହିଲା ଗୋ । ୪ ।