Ahe Prabhu Kalasrimukha

ଆହେ ପ୍ରଭୁ କଳାଶ୍ରୀମୁଖ
(Banamali— Raga Misra Mukhari, Tala Khemata)
(ବନମାଳୀ— ରାଗ ମିଶ୍ରମୁଖାରୀ, ତାଳ ଖେମଟା)

ଆହେ ପ୍ରଭୁ କଳାଶ୍ରୀମୁଖ
କାଳଯାକ ଭଜି ନ ଗଲା ଦୁଃଖ । ଘୋଷା ।

କି ଅବା ଛାମୁରେ ଜଣାଇବି ମୁହିଁ
ସାକ୍ଷାତରେ ମୋ ଦୀନ ଅବସ୍ଥା ଦେଖ
ତେଣୁ ଶ୍ରୀଛାମୁକୁ ଯାଇ ନ ପାରଇ
ଖଣ୍ଡିଏ ତ ମୋର ନ ଥାଇ ଭେକ । ୧ ।

ସାହୁଙ୍କ ଜଞ୍ଜାଳ କୁଟୁମ୍ବଙ୍କ ଗୋଳ
ଅନ୍ତର ବେଦନା ସବୁ ଅଧିକ
କା ଆଗେ କହିବି କେ କଷ୍ଟ ଫେଡ଼ିବ
ସଂସାରେ ମୋ ପରି ନାହିଁ ନିରେଖ । ୨ ।

ମନ ମଧ୍ୟେ ମୋର ହରଷ ନ ଥାଇ
ହୃଦୟ ମଧ୍ୟରେ ସଦା ବିମୁଖ
ଚଉବର୍ଗଦାନୀ ଆଶ୍ରେ କରି ମୁଁ ଯେ
କାହିଁରେ ଆଉ ନ ପାଇଲି ସୁଖ । ୩ ।

ବାତଚକ୍ର ପ୍ରାୟେ ମନ ଭ୍ରମୁଥାଇ
ଦଣ୍ଡେ ନ ରହଇ ତୁମ୍ଭରି ପାଖ
କହେ ବନମାଳୀ ଶଙ୍ଖରେ ପୂରାଇ
ଚକ୍ର ଉହାଡ଼ି ଘୋଡ଼ାଇଣ ରଖ । ୪ ।