Kahinki Ede Birasa Narisa

କାହିଁକି ଏଡ଼େ ବିରସ ନାରୀଶ
(Tarini Charan Patra— Raga Baradi, Tala Ekatali)
(ତାରିଣୀ ଚରଣ ପାତ୍ର— ରାଗ ବରାଡ଼ି, ତାଳ ଏକତାଳି)

କାହିଁକି ଏଡ଼େ ବିରସ ନାରୀଶ । ଘୋଷା ।

କହରେ ପ୍ରାଣଧନ କା ଲାଗି ଏ ଗୁମାନ
ଅକାରଣେ ବହିଛୁ ହୋଇ ତୁହି ବାଳୀଶ
(ପଡ଼ି)
କୁଞ୍ଜନିଳୟଭୂଷା ଆରେ ମଞ୍ଜୁ ରୁଚିର ବେଶା
ସଞ୍ଜ ହେଲାଣି ପରା ରଞ୍ଜ ଶରୀର ତ୍ୱରା
ଅଞ୍ଜନ ନିଭ ଘନକେଶା ସୁରସେ ରସରେ । ୧ ।

ଘନଶ୍ୟାମ ବରନ ମନ କର ପ୍ରସନ୍ନ
ମନ ତୋ କର ଉଚ୍ଚାଟନ ମୋ ବାଣୀ ଘେନ
(ପଡ଼ି)
ମୋହନ ଆସିଯିବେନି ଚାହିଁ ଚାହିଁ ଥିବେ ତୋ ସରଣୀ
ଖେଳା ଖଞ୍ଜରୀଟ ଡୋଳା ରେ ନବ ବାଳା
ହେଳା ନ କରି ଅଭିସାରେ ଚଳିବା ଆସରେ । ୨ ।

ମାଜ ମୁଖ ସରୋଜ ଆଜ ରସିକାରାଜ
ବ୍ରଜଇନ୍ଦୁ ଶ୍ରୀ ଯୁବରାଜଙ୍କୁ କର ନିଜ
(ପଡ଼ି)
ସାଜ ସଘନେ ସଜ ଡୁବିରାଜରେ ଗଜ ରାଜ
ରାଜ ଗମନୀ ତେଜ ବ୍ୟାଜ ମନରୁ ଆଜ
ରାଜୁ ତାରିଣୀ ହୃଦ ହେଜି ଯୁଗ ସମାଜରେ । ୩ ।