(ଦୁଃଖୀଶ୍ୟାମ— ଆଦିତାଳ)
ମୁଁ ତ ଚିହ୍ନି ନ ପାରଇ ଗୋ
ରଥର ଉପରେ କିଏ
ରଥର ଉପରେ ବିଜେ କରିଛନ୍ତି
ନନ୍ଦ ଯଶୋଦାଙ୍କ ପୋଏ । ଘୋଷା ।
ଆଖି ଦୁଇଗୋଟି ଚକା ଚକା
ବାହୁ ଦୁଇଗୋଟି ବଙ୍କା
ଦେଖିଲାବେଳକୁ ସେ ରୂପ ଗୋଟିକୁ
ହୃଦେ ଲାଗୁଅଛି ଶଙ୍କା । ୧ ।
ହୃଦୟ ଛୋଟ ବାହୁଟି ମୋଟ
ଅଭଡ଼ା ଖେଚଡ଼ି ଖାଇ
ଭକ୍ତଜନଙ୍କୁ ସେ ତାରିବାପାଇଁ
ବିଜେ ହୋଇଛନ୍ତି ସେହି । ୨ ।
ଆଗେ ତାଳଧ୍ୱଜ ପଛେ ନନ୍ଦିଘୋଷ
ମଧ୍ୟରେ ସୁଭଦ୍ରାଦେଈ
ନନ୍ଦିଘୋଷ ପରେ ବିଜେ କରିଛନ୍ତି
ଭକ୍ତକୁ ତାରିବା ପାଇଁ । ୩ ।
କେତେ ମୁଁ କହିବି ତାହାଙ୍କ ଚରିତ୍ର
ବର୍ଣ୍ଣିବାକୁ କେହି ନାହିଁ
ଠିକେ ଦୁଃଖୀଶ୍ୟାମ ଅଧମ କହଇ
ଯୁଗଳପଦକୁ ଧ୍ୟାଇ । ୪ ।