Chahan Kunjare Syama

ଚାହାଁ କୁଞ୍ଜରେ ଶ୍ୟାମ
(Ramakrusna— Raga Kedara Kamodi, Tala Tripata)
(ରାମକୃଷ୍ଣ କବିଚନ୍ଦ୍ର— ରାଗ କେଦାର କାମୋଦୀ, ତାଳ ତ୍ରିପଟା)

ଚାହାଁ କୁଞ୍ଜରେ
ଶ୍ୟାମ କଞ୍ଜଚରଣ ନୂପୁର ।
ପୁଞ୍ଜଧ୍ୱନି ଗୁଞ୍ଜଇ । ସେ ସ୍ୱର ଜନମନ ରଞ୍ଜଇ ।
ନାଚେଣ ଧ୍ରୀମି ଧ୍ରୀମି ଧ୍ରୀମି ତା ଧ୍ରୀମି ଝେଣା
ଝେଣା ତା କିଣା ଝେଣା ଧେକୃ ଧିନ୍ଦା ତା ଝେଣା ଝେଣା
ମତ୍ତମାତଙ୍ଗ ଗତି ସତୀଧୃତି ଟାଳଇ । ଘୋଷା ।

ଲାବଣ୍ୟଭୂତି ସଞ୍ଚିତଜ୍ୟୋତି
ନିନ୍ଦିତ କୋଟି କାମକୁ ।
ମଣ୍ଡିତ ଘନସାର ଚନ୍ଦନ ମୋହିତ କୁଞ୍ଜଧାମକୁ ।
ତା ଝେଣାମ ତା ଝେଣାମ ତା ଖୁ ଖୁନ୍ଦାରି ଝେଣାକିଣା
(ପଡ଼ି)
ପହପଟ ତ୍ରିପଟା ଝୁଲା ଝମ୍ପାଦି ମଠା
ତାଳେ ତାଳେ ନାଚଇ ଭାଙ୍ଗି ମୟୂରଜଟା
ସେ ନନ୍ଦଚାଟ ନଟରାଜ ଶଠମୁକୁଟ
କଟିତଟେ ପୀତପଟ କରା ଆପଟ
ଛଟକେ ହାଟକଦେହା ପାଟକ ତେଜଇ । ୧ ।

ଅଙ୍ଗେ ରାଜିତ ବ୍ୟଙ୍ଗେ
ସଙ୍ଗେ ଗୋପାଳବାଳକ ।
ଘଞ୍ଚ ସୁସଞ୍ଚ ପରପଞ୍ଚ ପଞ୍ଚଶାୟକ ।
ପାଞ୍ଚି ନେତ୍ରାଞ୍ଚି ଆମଞ୍ଚେ ମଞ୍ଚନାୟକ ।
(ପଡ଼ି)
କୁଞ୍ଜକାନନୁ ଧନୀ ଖଞ୍ଜେ ଗଜଗାମିନୀ
ବଞ୍ଚିବାର ସରଣୀ ପାଞ୍ଚ ଆଉ ଯାମିନୀ
କାଳୀୟ ନାଗଦଳା ଦଳାଯାମିନୀ ଟଳା
ବାଳକ କାଳେ ଛଳେ ସାରି ଅସୁରବାଳା
ପଳା ପଳା ଖଞ୍ଜନଡୋଳା ଆଉ ନ ଖେଳା । ୨ ।