Saji Tanu Maji Rajila Ta Aji

ସାଜି ତନୁ ମାଜି ରାଜିଲା ତ ଆଜି
(Kabichandra Kali Charan— Raga Anandabhairabi, Tala Ekatali)
(କବିଚନ୍ଦ୍ର କାଳୀଚରଣ— ରାଗ ଆନନ୍ଦଭୈରବୀ, ତାଳ ଏକତାଳି)

ସାଜି ତନୁ ମାଜି ରାଜିଲା ତ ଆଜି
ମହୀରେ ସଜ ବସନ୍ତ । ଘୋଷା ।

ଉଡ଼ାଇ ରଙ୍ଗ ବାନାରେ ସଜନୀ
ରସାଳ କୁଞ୍ଜେ ଅନାରେ । ନବସୁମନା ।
(ପଡ଼ି)
ଭାଲ ମୁନ ସଳଖି ତୀର କି ଦେଲା ଯୋଖି
ପିକ ଡଗରା ସାକ୍ଷୀ ଗାଏ କୁହୁକୁ ଡାକି
ଅଧୀର ମଳୟ ସତେ ସାରିଦେଲା ଲାଜ ମହତ । ୧ ।

ନବୀନ ଜନ ନିଆଳିରେ ସଜନୀ
ତୋ ହେଲେ ଗେଲେ ଛଇଳୀରେ । ସରାଗେ ଫୁଲିରେ ।
(ପଡ଼ି)
ଅଳି ବସୁଛି ମିତ ଶତ ବାଇଆ ସେ ତ
ଚାଟୁବାଣୀ ଭଣିତ ଗାଇବ ଗୁଞୀତ
ହରିବ ସାରିବ ମାନ ଝୁରି ମରିବାର ତ ସତ । ୨ ।

ଚାରୁ ଚାନ୍ଦିନୀ ରାତିରେ ସଜନୀ
ଉଲ୍ଲସି ଉଠେ ଛାତିରେ । ହେଲେ ମତିରେ ।
(ପଡ଼ି)
ଚିହ୍ନାପରି କେ ମୋତେ ଛୁଇଁଗଲା ଚକିତେ
ଗୋପନ କଥା ଯେତେ ଚେତି ଅନୁବରତେ
ନୟନେ ଲେଖିଲା ଭାଷା କବିଶଶୀ ବାରିଗଲା ତ । ୩ ।