Kaha Chitta Taha

କାହା ଚିତ୍ତ ତାହା
(Gopalakrusna— Raga Kirabani, Tala Ekatali)
(ଗୋପାଳକୃଷ୍ଣ— ରାଗ କୀରବାଣୀ, ତାଳ ଏକତାଳି)

କାହା ଚିତ୍ତ ତାହା ଚାହିଁ ନ ବଳିବ
ଯାହା ଦେଖିଲି ଗୋ ମା
ଆହା ନବ ତାରୁଣ୍ୟ ଆହା ସେ କି ଲାବଣ୍ୟ
ଆହା ବ୍ରଜେନ୍ଦ୍ର ପୁଣ୍ୟପୁଞ୍ଜ ଗୋଷ୍ଠଚନ୍ଦ୍ରମା । ଘୋଷା ।
(ପଡ଼ି)
ବଳାହକ ନିବହ କଳାରୁ ବଳି ଦେହ
ଡୋଳାରେ ନାଚୁଛି ଗୋ ମା
ଢଳାଚୂଳ ଧ୍ୱଜକୁ ଆହା କେକୀ ଚୂଳକୁ
ବଳାଉ ଦୃଷ୍ଟି ସରିଗଲା ସବୁ ଗାରିମା । ୧ ।

ନିଟିଳାଳକ ଅଧ କୁଟିଳ ଭୂରୁ ମଧ୍ୟ
ପଟୀର ତିଳକ ଗୋ ମା
ନଟୀ ରତ୍ନ କୁଣ୍ଡଳ ଘୋଟିଛି ଗଣ୍ଡସ୍ଥଳ
କଟି ପୀତ ଦୁକୂଳ ହା ତ୍ରିଭଙ୍ଗ ଭଙ୍ଗିମା । ୨ ।

ଖଞ୍ଜନଯୁଗ ମଦଗଞ୍ଜନ ନେତ୍ରଦ୍ୱନ୍ଦ
କି ଅନୁରଞ୍ଜନ ଗୋ ମା
କଞ୍ଜ ସଂଯୋଗ ଅଳି ପ୍ରଭଞ୍ଜନେ ଆନ୍ଦୋଳି
ହେଲା ପରାଏ ଚଳି ମଣ୍ଡୁଛି ଶ୍ରୁତି ସୀମା । ୩ ।

ଯୁବା ନିକର ବର ନବାବତାର ମାର
କିବା ସେ ହୋଇଛି ଗୋ ମା
ନିବାସ ମୁରଲୀର ଜୀବାତୁ ଯୁବତୀର
ଜବା ଗର୍ବାପହର ଅଧର ଅରୁଣିମା । ୪ ।

ଗୋପାଳକୃଷ୍ଣ ଭାଷେ ଅପାର ଦିନରୁ ସେ
ଉପାୟ କଲେନି ଗୋ ମା
ନପାଇ ଅବସର କୃପାମୟୀ ତୁମ୍ଭର
ସ୍ୱରୂପ ହୋଇଲାନି ଶ୍ୟାମ ନେତ୍ର ପ୍ରତିମା । ୫ ।