(ବନମାଳୀ— ରାଗ କାଫି, ତାଳ ଯତି)
ଏଡ଼େ ନିର୍ଦ୍ଦୟା କାହିଁକି ସୁନାବରନା
ଆଉ ଜାଣି ଜାଣି ଛଳ କରନା । ଘୋଷା ।
ଦେଖିଲା ବେଳରୁ ତୋ ଚନ୍ଦ୍ରବଦନ
ଘନ ଘନ ହୃଦ ଦହଇ ମଦନ
କଲାଣି ତୋ ରୂପ ନୟନେ ସଦନ
କଟାକ୍ଷ କଟାରୀ ବନ୍ଧୁ ଧରନା । ୧ ।
ସଖୀମେଳେ ଯେବେ ବସୁ ହସି ହସି
ମଣଇଁ ସତେକି ତାରା ମଧ୍ୟେ ଶଶୀ
ସେ ସୁଷମା ଭାଳି ନ ସରଇ ନିଶି
ସୁଧା ଅଧରରେ ବିଷ ଭରନା । ୨ ।
ସୁଝୀନ ବସନେ ଫୁଟି ତୋ ଊରଜ
ଭାଙ୍ଗିଦିଏ ଯୁବାମଣ୍ଡଳୀର ତେଜ
ରସିକାରତନ ତୁ ନାଗରୀରାଜ
ଆଶା ରତନଟି ମୋର ହରନା । ୩ ।
ବାନ୍ଧିଦେବି ଧନ ମନ ସୁଖେ ଜୂଡ଼ା
ଖଞ୍ଜି ଚଉପାଶେ କେତକୀ ପାଖୁଡ଼ା
ବନମାଳୀ ବୋଲେ ତୁମ୍ଭେ ଘରବୁଡ଼ା
ଲବେ କୃପା ବହ ପ୍ରାଣେ ମାରନା । ୪ ।