Kali Kahinki Naila Syamanagara

କାଲି କାହିଁକି ନଇଲ ଶ୍ୟାମନାଗର
(Banamali— Raga Kalyana, Tala Ekatali)
(ବନମାଳୀ— ରାଗ କଲ୍ୟାଣ, ତାଳ ଏକତାଳି)

କାଲି କାହିଁକି ନଇଲ ଶ୍ୟାମନାଗର
ଯାହା ହେଉଅଛି ଦେହ ମଦନେ ମୋର । ଘୋଷା ।

ଆଉ କେ ଯିବ ବିଶ୍ୱାସ । ଲମ୍ପଟିଆ ପୀତବାସ ।
ତଣ୍ଟିକଟା ଆଚରଣ ଏକା ତୁମ୍ଭର । ୧ ।

କୁଞ୍ଜକୁ ସଙ୍କେତ ଦେଇ । ଭଣ୍ଡିଲ ମୋତେ କିମ୍ପାଇଁ ।
ଦଗାଦାର ନଟବର ମୁରଲୀଧର । ୨ ।

ଏହିପରି ତୁମ୍ଭ ରୀତି । ଜାଣି ନ ଥିଲି ଶ୍ରୀପତି ।
ଗଛରେ ଚଢ଼ାଇ ମୂଳ କାଟିଦେବାର । ୩ ।

ବନମାଳୀ ଦାସ ଭଣେ । ତୁମ୍ଭ ପରି ନାହିଁ ଜଣେ ।
ହଟିଆ ନଟକୂଟିଆ ହେ ଚିତ୍ତଚୋର । ୪ ।