(ବନମାଳୀ— ଖେମଟା)
କି ଦେଖିଲା ଆଜ ନେତ୍ର ସଜନୀ
କି ଦେଖିଲା ଆଜ ନେତ୍ର
ଲଳିତ ମୂରତି କଳି ତ ନୋହିଲା
ଦଳିତ ଅଞ୍ଜନ ଗାତ୍ର ଲୋ । ଘୋଷା ।
ଅଳକା କପୋଳେ ଚପଳା କି ଖେଳେ
କେକୀପୁଚ୍ଛ ଚନ୍ଦ୍ରଚୂଳ
ରତନେ ଜଡ଼ିତ ଯତନେ କୁଣ୍ଡଳ
ଝଲକେ ଗଣ୍ଡମଣ୍ଡଳ ଲୋ । ୧ ।
ହୃଦରେ ପଦକ କରଇ ମାଦକ
ବାଦ କରେ ନିଶାକରେ
କାମିନୀ ଚିତ୍ତକୁମୁଦ ପ୍ରଫୁଲ୍ଲିତ
କରୁଥାଇ ଲୋକନରେ ଲୋ । ୨ ।
କରେ ତା କଙ୍କଣ ମୁରଲୀବାଦନ
ପୟରେ ନୂପୁର ଶୋହେ
ସୁବାସ କୁସୁମ ମାଳ ମାଳ ମାନ
ବାର ବେନି ପୁର ମୋହେ ଲୋ । ୩ ।
ବାଛି ପିନ୍ଧିବାର କାଛି ପୀତାମ୍ବର
ଅତର କର୍ପୂର ଉଛି
ବାରିବାକୁ ଆଉ ଅଛି କି ସେ ଶ୍ୟାମ
ସୁନ୍ଦରପଣକୁ କିଛି ଲୋ । ୪ ।
ବୋଲେ ବନମାଳୀ ସେ ପଟ୍ଟନାୟକ
ଭାଷନ୍ତି କିଶୋରୀମଣି
ନଟ ଲଗାଇବା ହଟ ବଡ଼ ତାର
ନଟବର ବେଶ ଠାଣି ଲୋ । ୫ ।