(ବନମାଳୀ— ରାଗ ମୋହନ କଲ୍ୟାଣ, ତାଳ ଯତି)
କୁଞ୍ଜେ ମୁରଲୀ ବାଜୁଛି
ଗଲେ ହେବ ଅପବାଦ ନ ଗଲେ ମରୁଛି ଗୋ । ଘୋଷା ।
ଶାଶୁ ନଣନ୍ଦ ମୋହର ଦେଖି ନ ପାରନ୍ତି
ଯମୁନାକୁ ନୀର ଆଣିବାକୁ ନ ଛାଡ଼ନ୍ତି ଗୋ । ୧ ।
ମଦନ ବାଣରେ ତନୁ ଘାରି ହେଉଅଛି
କି କରିବି କାହିଁ ଯିବି ଅସ୍ଥିର ହେଉଛି ଗୋ । ୨ ।
ସେ ମୋହନ ବେଣୁଧର ପ୍ରାଣର ସଙ୍ଖାଳି
ଗୋପାଙ୍ଗନାମାନେ ବେଢ଼ି ଦ୍ୟନ୍ତି ହୁଳହୁଳି ଗୋ । ୩ ।
କୁଳଛଡ଼ା ଘରବୁଡ଼ା ନାଗର କହ୍ନାଇ
ବୋଲେ ବନମାଳୀ ମିଛ ନୁହେ ପ୍ରାଣସହି ଗୋ । ୪ ।