(ବନମାଳୀ— ରାଗ କଲ୍ୟାଣ, ତାଳ ଏକତାଳି)
କେ ମୁରଲୀ ବଜାଉଛି ବୃନ୍ଦାବନେ ଗୋ
ତା ପରି ନାଗର ଆଉ ନାହିଁ ଜଣେ ଗୋ । ଘୋଷା ।
ସେ ନାଦ କର୍ଣ୍ଣେ ବାଜିଲା । ପାଦ ମୋର ନ ଚଳିଲା ।
ମାର ମରମେ ଭେଦିଲା ପଞ୍ଚବାଣେ ଗୋ । ୧ ।
ମୁରଲୀ ବଡ଼ ପ୍ରମାଦ । କଲା ମୋତେ ଅବସାଦ ।
ପତିବ୍ରତା ଛଡ଼ାଇଲା ପରି ମଣେ ଗୋ । ୨ ।
ଚିତ୍ରପଟେ ଲେଖାଇବି । ଯତନରେ ରଖାଇବି ।
ଚିତ୍ତ ତହିଁ ଖଟାଇବି ଅନୁକ୍ଷଣେ ଗୋ । ୩ ।
ବନମାଳୀ ଦାସ କହେ । ନନ୍ଦସୁତ ମନ ମୋହେ ।
ଭଜି ମଜ୍ଜି ରହିଥିବି ଶ୍ରୀଚରଣେ ଗୋ । ୪ ।