Syame Tu Nuha Bimana

ଶ୍ୟାମେ ତୁ ନୁହଁ ବିମନା
(Banamali— Raga Ramakeri, Tala Jati)
(ବନମାଳୀ— ରାଗ ରାମକେରୀ, ତାଳ ଯତି)

ଶ୍ୟାମେ ତୁ ନୁହଁ ବିମନାରେ ସୁମନା । ଘୋଷା ।

ମୁଞ୍ଚ ଏ ରୁଷାଣି ଆରେ ବୀଣାବାଣୀ
ଛାମୁରୁ ନ କର ମନାରେ । ୧ ।

ହାତ ଓଠ ଧରି କହୁଛି ସୁନ୍ଦରୀ
ଅମୀୟ କଟାକ୍ଷେ ଅନାରେ । ୨ ।

ସୁଚିତ୍ତେ ବିଚାର ସେ ତୋର ତୁ ତାର
ଜୀବନ ସଙ୍ଖାଳି ସିନାରେ । ୩ ।

କଲେ ହତାଦର ହେବେଟି କାହାର
ସେ ଘନ କାଳିଆ ସୁନାରେ । ୪ ।

ବନମାଳୀ କହେ କାହା ଦେହ ସହେ
ଦେଖି ମୋହନ ଯାତନାରେ । ୫ ।