Aja Braja Raja Pure Laje Mu Budili

ଆଜ ବ୍ରଜରାଜ ପୁରେ ଲାଜେ ମୁଁ ବୁଡ଼ିଲି ମା
(Gopalakrusna— Raga Mohana Kalyana, Tala Jhampa)
(ଗୋପାଳକୃଷ୍ଣ— ରାଗ ମୋହନ କଲ୍ୟାଣ, ତାଳ ଝମ୍ପା)

ଆଜ ବ୍ରଜରାଜ ପୁରେ ଲାଜେ ମୁଁ ବୁଡ଼ିଲି ମା । ଘୋଷା ।

ରୋହିଣୀଙ୍କ ସଙ୍ଗତରେ ଥିଲି ରନ୍ଧନ ମନ୍ଦିରେ
ପଛକୁ ନାଗରବର ଦୃଷ୍ଟିରେ ପଡ଼ିଲି ମା । ୧ ।

ହୃଦ କରେ ଦମଦମ ବୁଦ୍ଧି ମୋ ହୋଇଲା ବାମ
ସୁଧା ସମ ଶିଖରିଣୀ ଜଳେ ନିଉଡ଼ିଲି ମା । ୨ ।

କପଟିନୀ କୁନ୍ଦବଲ୍ଲୀ ଜାଣି ପାଶୁ ଗଲା ଚଳି
ସାରୀ ପଢ଼ିବାରୁ ଆଣି ଓଢ଼ଣୀ ଓଢ଼ିଲି ମା । ୩ ।

ହେଲା କି ପାକ ସମ୍ଭାର ବୋଲି ପଚାରନ୍ତେ ମୋର
ଧୃତି ଖସିଗଲା ପ୍ରତିଉତ୍ତର ହୁଡ଼ିଲି ମା । ୪ ।

ମୋ ଓଷ୍ଠ କମ୍ପିଲା ଚାହିଁ ହସିଲା ସେ ଆଡ଼େ ରହି
ତା ଇଙ୍ଗିତ ହେଜି ଶୀଘ୍ରେ ଅଧର ପୀଡ଼ିଲି ମା । ୫ ।

ଗୋପାଳକୃଷ୍ଣ କହିଲା ରହୁ ଜଟିଳା ଅଇଲା
ଆସନ୍ତୁ ସଜନୀ ତୋତେ କେତେ ମୁଁ ଲୋଡ଼ିଲି ମା । ୬ ।