(କବିଚନ୍ଦ୍ର କାଳୀଚରଣ— ରାଗ ବସନ୍ତ, ତାଳ ଏକତାଳି)
କୁହୁ କୁହୁ କେ ସଜନୀ କେ ସେ ବୋଲେ
କୁହୁ କୁହୁ ବୋଲେ ରେ । ଘୋଷା ।
ପହୁଡ଼ିଥିଲି ଅଳସେ । ଆସି ବାତାୟନ ପାଶେ ।
ଦୋହଲାଇ ଦେଲା ତନୁ ଗେଲେ ।
(ପଡ଼ି)
ସପନ ଚେତି ସତେ ଚାହିଁଲି ସଜନୀ
ଗୋପନ ମନ ତଳେ ଛୁଆଁକେ ଦେଲା ଆଣି
ଘେନାଇ ମନ କେ ସେ ପରଶ ଯାଚିଲାଣି
ପାଶେ ଆସି । ହସେ ବସି । ରସେ ରସି ।
ପଚାର ସଖି ତୁ ଥରେ
ପରାଣ ମୋର ଚହଲେ
ବସନ୍ତ ହେବ ସେ ହେଲେ । ୧ ।
କବିଚନ୍ଦ୍ର ବୋଲେ ମିତ । ଆଣିଛି କୋଇଲି ଗୀତ ।
ନାରୀମରା ମୁକୁଟ ତା ଭାଲେ ।
(ପଡ଼ି)
କରୁଣା ବୋଲି ପଦ ନାହିଁ ତା ମରମେ
ମଦନପାଳିଆ ସେ ନାରୀମରା ଧରମେ
ବିରହୀ ଜନମନ ଲୁଟେ ସେ ଜୀବଧନ
ସୁନାଗୋରୀ । ଆନ ଦେଲି । ବସ ଫେରି ।
ତା ନାଁ ଧରନାରେ ମୁଖେ
ଦୂରନ୍ତ ତାର ପରା କେ
ହିଆ ଚମକେ ଥମକେ । ୨ ।