Aja Sri Gostha Chandrama

ଆଜ ଶ୍ରୀ ଗୋଷ୍ଠଚନ୍ଦ୍ରମା
(Gopalakrusna— Raga Arabhi, Tala Ekatali)
(ଗୋପାଳକୃଷ୍ଣ— ରାଗ ଆରଭୀ, ତାଳ ଏକତାଳି)

ଆଜ ଶ୍ରୀ ଗୋଷ୍ଠଚନ୍ଦ୍ରମା ସାଜିବା ସଜ
କେବେ ମୁଁ ଦେଖି ନାହିଁ ମା
କୋଟି ସ୍ମର ସୁଷମା ନୟନ ସୁଖସୀମା
ଆହା ସେ ମଧୁରିମା ନାହିଁ ଆଉ ଉପମା । ଘୋଷା ।
(ପଡ଼ି)
କି ସୁନ୍ଦର ବେଣୀ ବ୍ୟାଳ ରତନସାରେ ମଞ୍ଜୁଳ
ଅରାଳ ଶିଖଣ୍ଡଚୂଳ ରାଜିତ ମାଳତୀ ମାଳ
କୁଟିଳ ନୀଳ କୋମଳ ନିଟିଳ ଚୂର୍ଣ୍ଣ କୁନ୍ତଳ
ମଣ୍ଡିତ କମଳ କୋଳ ଶିଶୁ ମଧୁବ୍ରତ ଜାଳ । ୧ ।

ମାରଧନୁ ଭୂରୁଲତା ମଧ୍ୟେ ଗୋରଚନା ଚିତା
ଚାହିଁଲେ କେଉଁ ବନିତା ରହିବକି ତାର ଚେତା
ନାସାର ନୂଆ ମୁକୁତା ହା କୁଣ୍ଡଳ ଆନ୍ଦୋଳିତା
ଗଣ୍ଡସ୍ଥଳ ସୌଷ୍ଠବତା ଭଲା ଗଢ଼ିଲା ବିଧାତା । ୨ ।

ଥାଉ ଆଉ ଭୂଷାଯାକ କର୍ଣ୍ଣାଂଶେ ମଲ୍ଲୀସ୍ତବକ
ହୃଦୟର ଗଇରକ ହଜାଇ ଦେଲା ବିବେକ
ଅଳି ସହ ବନଶ୍ରକ ହାରାବଳୀର ପଦକ
କଟିର ପୀତ ଅଂଶୁକ ସ୍ଥିର ଚପଳା ଝଟକ । ୩ ।

ଛନ୍ଦାଚରଣ ଯୁଗକୁ ମର୍କତ ଭୁଜାର୍ଗଳକୁ
ବଂଶୀ ନ୍ୟାସ ଅଧରକୁ କି କଳନା ଚିବୁକକୁ
କେଣେ ଗଲି ଯମୁନାକୁ ଚାହିଁଲି ନୀପମୂଳକୁ
ଲଭିଲି ଜଡ଼ ରୂପକୁ ପାସୋରି ଦେଲି ଦେହକୁ । ୪ ।

ଗୋପାଳକୃଷ୍ଣ ଭାଷିଲା ବେଳ ଅବସାନ ହେଲା
ଏବେ ଜରତୀ ଡାକିଲା ସମୟ ଆସି ପାହିଲା
ବୋଲୁ ସ୍ମରଣା ହୋଇଲା ପୁରକୁ ଯିବି ବୋଇଲା
ବେଳେ ପଦ ଜୁଳି ହେଲା ମନ ଆଉ ନ ଆସିଲା । ୫ ।