Teja Manu Mana

ତେଜ ମନୁ ମାନ
(Dwija Padmanabha— Raga Sankarabharana, Tala Ekatali)
(ଦ୍ୱିଜ ପଦ୍ମନାଭ— ରାଗ ଶଙ୍କରାଭରଣ, ତାଳ ଏକତାଳି)

ତେଜ ମନୁ ମାନ ।
ମନୁ ମାନ ତେଜ ସଜକଞ୍ଜନୟନା
ପୀରତି ବିଚକ୍ଷଣାରେ । ଘୋଷା ।

ଆରେ ମହୀଶୁଆ ଉଠ ସୁନାଦେହା
ଆଉ କଟାଳ କରନା
ଗଣ୍ଡମଣ୍ଡଳେ ପାଣି ମଣ୍ଡନା
ଜବାଧରା ଧୀରା ଧରା ଚିରନା
ପୀରତି ବିଚକ୍ଷଣାରେ । ୧ ।

ନୟନୁ ଲୋତକ ନିର୍ବାର ଗୋ ମୁଖ
ଟେକ ଶ୍ରୀକୁନ୍ଦରଦନା
ରସେ ରସିକରାଜଙ୍କୁ ଅନା
ହସି ଭାଷ ମୃଦୁ ମଧୁ ବୀଣାବଚନା
ପୀରତି ବିଚକ୍ଷଣାରେ । ୨ ।

ତୋ ବିହୁନେ ଘାରି ହୋଇ ବଂଶୀଧାରୀ
ସହି ବିରହ ବେଦନା
ପାଇଲେଣି ଅଶେଷ ଯାତନା
ବିନା ଦୋଷେ ରୁଷି ବସୁ ହୋଇ ବିମନା
ପୀରତି ବିଚକ୍ଷଣାରେ । ୩ ।

ଚାଲ ଚାଲ ଆଜ ସାଜିଦେବି ସାଜ
ସୁଝୀନ ନୀଳବସନା
ଚାଲ କୁଞ୍ଜେ କୁଞ୍ଜରଗମନା
ରାସ ବେଳେ ରାସବିହାରୀଙ୍କୁ ଅନା
ପୀରତି ବିଚକ୍ଷଣାରେ । ୪ ।