Ahe Siba Gouri Tumbhe

ଆହେ ଶିବ ଗୌରୀ ତୁମ୍ଭେ
(Raghunatha Suta— Raga Natakokila, Tala Jhampa)
(ରଘୁନାଥ ସୁତ— ରାଗ ନଟକୋକିଳ, ତାଳ ଝମ୍ପା)

ଆହେ ଶିବ ଗୌରୀ ତୁମ୍ଭେ ନ ଦେଲ ଦେଖା ହେ
ଶିବ ଶିବ ବୋଲି ହର ପଡ଼ୁଛି ଡକା ହେ । ଘୋଷା ।

ମହା ମହିମା ତୁମ୍ଭର ତିନିପୁରେ ଅଗୋଚର
ବସିବା ସ୍ଥାନ ତୁମ୍ଭର କୈଳାଶ ଶିଖା ହେ । ୧ ।

ବ୍ରହ୍ମାରେ ହେଲ ବିବାଦୀ ଚାପୋଡ଼ାକେ ଶିର ଛେଦି
ରହିଲ ପାତାଳ ଭେଦି ଚନ୍ଦ୍ରମା ରେଖା ହେ । ୨ ।

ସମୁଦ୍ର ମନ୍ଥନ କାଳେ ବିଷ ଉପୁଜିଲା ଜଳେ
ଏକା ଦେବତାଙ୍କ ଛଳେ ସେ ବିଷଚଖା ହେ । ୩ ।

କହେ ରଘୁନାଥ ସୁତ ତୁମ୍ଭ ଚରଣେ ଆଶ୍ରିତ
ଆତଙ୍କ କାଳକୁ ନାଥ ହୋଇବ ସଖା ହେ । ୪ ।