(ଗୋପାଳକୃଷ୍ଣ— ରାଗ ଶଙ୍କରାଭରଣ, ତାଳ ରୂପକ)
କାନନର ବିତାନରେ ଏ କି ଗାନ ଶୁଭୁଛି ମା
କାନରେ ଏ ନିସ୍ୱନ ପ୍ରସରି ଜ୍ଞାନ ହରୁଛି ମା । ଘୋଷା ।
ନିବିଡ଼ ନୀବିଗ୍ରନ୍ଥୀ ସାଧବୀ ବିଥୀର ଫିଟୁଛି ମା
କି ବିହିଛିଟି ବିହି ବିବେକ ବୁଦ୍ଧି ନାଶୁଛି ମା । ୧ ।
ନାଦର ଏ କି ମାଦକ ଉନୁମାଦ କରୁଛି ମା
ଆଦର ରହୁ ପାଦରେ ସୁଧାସ୍ୱାଦ ଦଳୁଛି ମା । ୨ ।
ଭାବ ଏ କି ପ୍ରଭାବ ରବର ଗ୍ରାବ ଦ୍ରବୁଛି ମା
ଏ ବରଜର ଯୁବତୀ ଆବୁର ନେବ ମଣୁଛି ମା । ୩ ।
ସ୍ୱାନ୍ତକର ଏ ତନ୍ତ୍ର ଜାଣ ଯନ୍ତ୍ର ରଚିଛି ମା
ମନ୍ତର ପଢ଼ି ଅନ୍ତରକୁ ମୋ କୁନ୍ତ ମାରୁଛି ମା । ୪ ।
ଆଳୀ କରେ ନିଆଳୀ ମାଳିକା ଯେ ପଠାଇଛି ମା
ପାଳୀ କହନ୍ତି କେଳି ମୁରଲୀ ସେ ବଜାଉଛି ମା । ୫ ।
ପରମାକ୍ଷର ଅର୍ଥ ଧ୍ୱନିରେ ପ୍ରକଟ ହୋଇଛି ମା
ଭରମ କେଣେ ଗୋପାଳକୃଷ୍ଣ ଶୁଣ ଜଣାଉଛି ମା । ୬ ।