(ଗୋପାଳକୃଷ୍ଣ— ରାଗ କାମୋଦୀ, ତାଳ ଆଡ଼ତାଳି)
କଦମ୍ବ ବନେ ବଂଶୀ ବାଜିଲାରେ
ରାଧା ଦମ୍ଭ ଶିଖରୀ ଭାଜିଲାରେ । ଘୋଷା ।
ତୋ ବିନା ପ୍ରତିକାର ଆନ କେ ନାହିଁ ମୋର
ବିବେକ ରତନ ମୋ ହଜିଲାରେ । ୧ ।
କଢ଼ା ମୋତେ ସରଣୀ ଆରେ ପ୍ରାଣମିତଣୀ
ତୋ ବିନା ଜୀବନ ବରଜିଲାରେ । ୨ ।
ଦେଖି ବ୍ରଜେନ୍ଦୁ ମୁଖ ଲିଭାଇବିରେ ଦୁଃଖ
ସ୍ମରାନଳରେ ତନୁ ଭାଜିଲାରେ । ୩ ।
ପଳାଇଲାନି ମନ ବେଣୁପତି ଶୋଭନ
ପୀୟୂଷ ବାରିଧିରେ ମଜ୍ଜିଲାରେ । ୪ ।
ଚାଲ ଯିବା ଲଳିତା ବୋଲୁଁ କୀର୍ତ୍ତିଦା ସୁତା
ମୁଖ ସୁବର୍ଣ୍ଣାବ୍ଜ ବିରାଜିଲାରେ । ୫ ।
ଏକାନ୍ତ ଶ୍ରୀ ଲଳିତା ଶ୍ରୀ ବୃଷଭାନୁ ସୁତା
ଗୋପାଳକୃଷ୍ଣ ରହି ହେଜିଲାରେ । ୬ ।