(ଗୋପାଳକୃଷ୍ଣ— ରାଗ ଦେଶାକ୍ଷ, ତାଳ ଏକତାଳି)
ଦେଖିଲେ ଦେଖିଲା ପରି ଥରେ ରସିକରାଜଙ୍କୁ
ଅଖିଳ ବ୍ରଜବାସୀଙ୍କ ଆଖିର ପୁଣ୍ୟ ପୁଞ୍ଜକୁ । ଘୋଷା ।
ସୁରଭୀଗଣ ପଛରେ ମୁରଲୀ ବଜାଇ ଧୀରେ
ନାଚି ଆସିବା ବେଳରେ ବନ ବାହୁଡ଼ା ସଜକୁ । ୧ ।
ବିନ୍ଦୁ ବିନ୍ଦୁ ଶ୍ରମଝାଳ ଅଳକାବୃତ କପୋଳ
ମକର କୁଣ୍ଡଳ ଗଣ୍ଡ ଶିଖଣ୍ଡଚୂଳ ଧ୍ୱଜକୁ । ୨ ।
ନଟବର ଶିଖାମଣି ଚରମ ଦେଶର ବେଣୀ
ଚାଳିବାର ବଂଶୀ ରନ୍ଧ୍ରେ ଚାରୁ ଅଙ୍ଗୁଳି ବ୍ରଜକୁ । ୩ ।
ନାସିକାର ମୋତିବର ଧୀର ଧୀର ଚଳିବାର
ଗୁଞ୍ଜହାର ତୁଲେ ଉତ ପରମ ବନ୍ୟ ସ୍ରଜକୁ । ୪ ।
ଝୁମୁଝୁମୁ ବାଜିବାର ମଞ୍ଜୁଳମଣି ମଞ୍ଜୀର
ଗୋପାଳକୃଷ୍ଣ ଚିନ୍ତେ ସେ ଛନ୍ଦା ଚରଣ କଞ୍ଜକୁ । ୫ ।