Chhaila Bara Chhamure Padili

ଛଇଳବର ଛାମୁରେ ପଡ଼ିଲି
(Gopalakrusna— Raga Jhinjoti, Tala Jhampa)
(ଗୋପାଳକୃଷ୍ଣ— ରାଗ ଝିଞ୍ଜୋଟି, ତାଳ ଝମ୍ପା)

ଛଇଳବର ଛାମୁରେ ପଡ଼ିଲି ମା
ଛନ୍ଦିହେଲା ପଦଯୁଗ ତୋତେ ଲୋଡ଼ିଲି ମା । ଘୋଷା ।

ଆଗେ ଗଲା ଇନ୍ଦୁରେଖା ପଛେ ରହିଲା ବିଶାଖା
ଏକା ଲାଜ ଜଳଧିରେ ମୁଁ ବୁଡ଼ିଲି ମା । ୧ ।

ଦମଦମ ହେଲା ଛାତି ଖସିଗଲା ଗୋ ମୋ ଧୃତି
କହିବାର ଭାରତୀ ମୁଁ ହୁଡ଼ିଲି ମା । ୨ ।

ରୋମାଞ୍ଚିତ ହୋଇଗଲି ଛୁଆଇଁ ଦେଉଁ ମୁରଲୀ
ହସି ଦନ୍ତେ ଦନ୍ତବାସ ଭିଡ଼ିଲି ମା । ୩ ।

ଥରି ଥରି ପ୍ରାଣମିତ ପାଣିକି କୋରକୀକୃତ
କରି କେତେ ଥର ଶିରେ ଯୋଡ଼ିଲି ମା । ୪ ।

ଧନ ଜନ ଗଉରବ ଗୁରୁଜନ ଭାଷା ଭାବ
କୁଳାଚାର ଧରମକୁ ଏଡ଼ିଲି ମା । ୫ ।

ଗୋପାଳକୃଷ୍ଣ ଭାଷିଲା ହେଟି କୁଟିଳା ଆସିଲା
ବୋଲି ଗଲେ ଏଣିକି ବାହୁଡ଼ିଲି ମା । ୬ ।