Jamuna Kule Kalia

ଯମୁନା କୂଳେ କାଳିଆ
(Krupamaya Deba— Raga Chhayanata, Tala Gajajhampa)
(କୃପାମୟ ଦେବ— ରାଗ ଛାୟାନଟ, ତାଳ ଗଜଝମ୍ପା)

ଯମୁନା କୂଳେ କାଳିଆ କେଡ଼େ ହଟା କଲା ମା
ସଟାବଟା କରି ମୋତେ ଜଟାଇଣ ନେଲା ମା । ଘୋଷା ।

କଦମ୍ବ ମୂଳରେ ରହି । ବଂଶୀସ୍ୱନ ଥରେ ବାଇ ।
ରାଧେ ରାଧେ ବୋଲି ବଂଶୀ ନିରତେ ରଟିଲା ମା । ୧ ।

ସେ ନଟ ନାଗରବର । ଦିଶୁଥାଇ କି ସୁନ୍ଦର ।
ନାଗରୀମାନଙ୍କ ଚିତ୍ତ କମ୍ପାଉଣ ଥିଲା ମା । ୨ ।

ହୃଦରେ ସୁରଙ୍ଗ ବହି । ବାଙ୍କନୟନରେ ଚାହିଁ ।
କି ସୁନ୍ଦର ସେ ନାଟୁଆ ଚିତ୍ତ ମୋ ମୋହିଲା ମା । ୩ ।

ଗଙ୍ଗବଂଶରେ ସମ୍ଭବ । ଶ୍ରୀ ଶ୍ରୀ କୃପାମୟ ଦେବ
ଜନ୍ମେ ଜନ୍ମେ କୃଷ୍ଣ ପାଦେ ଚିତ୍ତ ମୋ ରହିଲା ମା । ୪ ।