(କୃପାମୟ ଦେବ— ରାଗ ଛାୟାନଟ, ତାଳ ଗଜଝମ୍ପା)
ଯମୁନା କୂଳେ କାଳିଆ କେଡ଼େ ହଟା କଲା ମା
ସଟାବଟା କରି ମୋତେ ଜଟାଇଣ ନେଲା ମା । ଘୋଷା ।
କଦମ୍ବ ମୂଳରେ ରହି । ବଂଶୀସ୍ୱନ ଥରେ ବାଇ ।
ରାଧେ ରାଧେ ବୋଲି ବଂଶୀ ନିରତେ ରଟିଲା ମା । ୧ ।
ସେ ନଟ ନାଗରବର । ଦିଶୁଥାଇ କି ସୁନ୍ଦର ।
ନାଗରୀମାନଙ୍କ ଚିତ୍ତ କମ୍ପାଉଣ ଥିଲା ମା । ୨ ।
ହୃଦରେ ସୁରଙ୍ଗ ବହି । ବାଙ୍କନୟନରେ ଚାହିଁ ।
କି ସୁନ୍ଦର ସେ ନାଟୁଆ ଚିତ୍ତ ମୋ ମୋହିଲା ମା । ୩ ।
ଗଙ୍ଗବଂଶରେ ସମ୍ଭବ । ଶ୍ରୀ ଶ୍ରୀ କୃପାମୟ ଦେବ ।
ଜନ୍ମେ ଜନ୍ମେ କୃଷ୍ଣ ପାଦେ ଚିତ୍ତ ମୋ ରହିଲା ମା । ୪ ।