Sunajiba Ki Se Srimukharu Bani

ଶୁଣାଯିବ କି ସେ ଶ୍ରୀମୁଖରୁ ବାଣୀ
(Gopalakrusna— Raga Bibhasa, Tala Jhampa)
(ଗୋପାଳକୃଷ୍ଣ— ରାଗ ବିଭାସ, ତାଳ ଝମ୍ପା)

ଶୁଣାଯିବ କି ସେ ଶ୍ରୀମୁଖରୁ ବାଣୀ
ଶ୍ରବଣେ ମୋହର । ଘୋଷା ।

ନବନୀତ ମୃଦୁ ପୀୟୂଷରୁ ସ୍ୱାଦୁ
ଗୋଷ୍ଠ ଚନ୍ଦ୍ରମା ମୋହନ ମନ୍ତର । ୧ ।

ବନ ଲେଉଟାଣି ବଂଶୀସ୍ୱନ ଶୁଣି
ଅଗଣାରେ ଆଳୀଙ୍କି ଡାକିବାର । ୨ ।

ମୋହନ ଶ୍ରୀହସ୍ତ ଚିଟାଉ ଏକାନ୍ତ
ସ୍ଥଳେ ରହି ହସି ପାଠ କଲାର । ୩ ।

ସଖୀ ପଛେ ଥାଇ ବଦନ ଲୁଆଇଁ
ବ୍ରଜବିଧୂଙ୍କୁ ଦେଲାର ଉତ୍ତର । ୪ ।

ପଦାବ୍ଜ ସେବାକୁ ଗୋପାଳକୃଷ୍ଣକୁ
ଆସ ବୋଲିବାର ସ୍ୱାମିନୀଙ୍କର । ୫ ।