(ଯଦୁମଣି— ରାଗ କେଦାରଗୌଡ଼ା, ତାଳ ତ୍ରିପଟା)
ଚାତର ତୋ ଗଲା କେଣିକି ଗୋ
କାତର ତ ହେଉ ଏଣିକି ଗୋ
ପାତର ନୋହିଲି ନଜରକୁ ବୋଲି
ଖାତର ନ କଲୁ ବାଣୀକି ଗୋ । ଘୋଷା ।
ହଜାର ବାର ମନା କରୁ କରୁ
ହଜାଇଣ ଦେହ ବୁଦ୍ଧି ରମ୍ଭୋରୁ
ମଜ୍ଜାଇଲୁ ମନ ବିଟମୁକୁଟରେ
କି କହିବି ଗୁଣମଣିକି ଗୋ । ୧ ।
ଜାତି କୁଳଶୀଳ ଲାଜ ମହତ
ମାତି ଶ୍ୟାମ ସଙ୍ଗେ କଲୁ ଯେ ହତ
କାତି ଚଢ଼ାଇଲୁ ଆପଣା ଛାତିକି
ମଣ୍ଡୁ କିମ୍ପା ଗଣ୍ଡେ ପାଣିକି ଗୋ । ୨ ।
ବାଟ ଚାଲି ନୁହେଁ ତୁଣ୍ଡ ବଜାରେ
ହାଟ ବସିଲାଣି ବ୍ରଜବଜାରେ
ପାଟକ କୁଳେ କଳଙ୍କ ଲଗାଇଲୁ
କୋଳେ ଧରି କାଳଫଣୀକି ଗୋ । ୩ ।
ଭାଷେ ଶ୍ରୀ ଭ୍ରମରବର ଏ ରସେ
ଭାଷେ ଯା ହୃଦରେ ଚେତନା ବସେ
ଭାସେ ସେ ଅବଶ୍ୟ ଖେଦସରିତେ
ହସି ମହାଦୁଃଖ ଶ୍ରେଣୀକି ଗୋ । ୪ ।