Arajibi Pache Jana Apakhyatiki Go

ଅରଜିବି ପଛେ ଜନ ଅପଖ୍ୟାତିକି ଗୋ
(Kabisurjya— Raga Suratha, Tala Rupaka)
(କବିସୂର୍ଯ୍ୟ— ରାଗ ସୁରଠ, ତାଳ ରୂପକ)

ଅରଜିବି ପଛେ ଜନ ଅପଖ୍ୟାତିକି ଗୋ
ବରଜିବି କେହି ଘନଶ୍ୟାମ ପ୍ରୀତିକି ଗୋ । ଘୋଷା ।

ତେଜି ଜାଈଦଳ ଶେଯ । ଘନସାର ମଳୟଜ ।
କରିବ କେ ରାଜୀବଦଳକୁ ଗତିକି ଗୋ । ୧ ।

ତା ସୁନ୍ଦର ମନ୍ଦହାସ । ରୁଚିର ଭୂରୁ ବିଳାସ ।
ଛାଡ଼ି ଆଡ଼ିବ କେ ଫୁଲବାଣେ ଛାତିକି ଗୋ । ୨ ।

ପଦକୁ ପୁରନ୍ଦରର । କରିଦେବି କରି ଛାର ।
ନିତି ନିତି ତା ସୁରତେ ସତେ ମାତିକି ଗୋ । ୩ ।

ତେଜିଣ କୋଣ ଚାହାଣୀ । ପୀୟୂଷ ମଧୁର ବାଣୀ ।
ସହିବ କେ କାମରାଜ ଝଳି କାତିକି ଗୋ । ୪ ।

କରି ଗାଢ଼େ ପରିରମ୍ଭ । ତା ଅଧର ପକ୍ୱବିମ୍ବ ।
ପିଉଥିବି ପାହିଯିବା ଯାଏ ରାତିକି ଗୋ । ୫ ।

ବୋଲେ ବସୁଦୁର୍ଗପତି । ଧ୍ୟାନ କରି ତା ମୂରତି ।
ନାମ ଭଜନରେ ବ୍ରତୀ ହେବି ଯତିକି ଗୋ । ୬ ।