(କବିସୂର୍ଯ୍ୟ— ରାଗ ପୁନ୍ନାଗ, ତାଳ ରୂପକ)
କରିବା କି ବୁଦ୍ଧି
ଶ୍ୟାମ ଜାଣିଲାଣି ପୁଣି ଲୋ । ଘୋଷା ।
ସୁନା ସରୋରୁହ ଲତା । ହୋଇବାରୁ କୁସୁମିତା ।
ସଞ୍ଚରିବାର ଚଞ୍ଚଳେ ଚଞ୍ଚରୀକ ଶ୍ରେଣୀ ଲୋ । ୧ ।
ଖଣ୍ଡରସ ସରସରେ । ନ ରସେ ସତ ରସରେ ।
ଅରୁଚି କରୁଚି ପୀୟୂଷକୁ ମଣି ଲୁଣୀ ଲୋ । ୨ ।
କିଶୋରୀର ରଦାମ୍ବର । ଧ୍ୟାନେ ପୁଣି ପୀତାମ୍ବର ।
ଉପରେ ପକ୍ୱବିମ୍ବର ଚୁମ୍ବେ ଗଣି ଗଣି ଲୋ । ୩ ।
କୁଚକୁ ଚିତ୍ତରେ ଧ୍ୟାୟି । ଚୁଚକ ଉରେ ଲଗାଇ ।
ଲୋଚନ ବୁଜୁଛି ପରିରମ୍ଭ ସୁଖ ମଣି ଲୋ । ୪ ।
ନବଲତାକୁ ନିବିଡ଼େ । ପ୍ରବଳ ଉନ୍ମାଦେ ଭିଡ଼େ ।
ପ୍ରାଣେଶ୍ୱରୀ ହା କିଶୋରୀ ବୋଲି ହୁଏ ଗୁଣି ଲୋ । ୫ ।
ଆମ୍ଭ ଆଳିର ତ ବେଶ । ଉଚିତ ହେଲା ବୟସ ।
ଧରି ହୃଦେ ମଣ୍ଡିବ କି ହର ନୀଳମଣି ଲୋ । ୬ ।
ଅଷ୍ଟଦୁର୍ଗ ପୁରନ୍ଦର । କହେ ଦୂରୁଁ ଯୋଡ଼ି କର ।
ଭୀରୁମଦଗଜକୁ ତା ଭୂରୁଭଙ୍ଗୀ ଶାଣି ଲୋ । ୭ ।