(ଉପେନ୍ଦ୍ର ଭଞ୍ଜ— ରାଗ ମୁଖାରୀ, ତାଳ ଯତି)
ଆଉ କାହା କର ଧରିବି ସଜନୀ ଗୋ
ଛାଡ଼ିଗଲେ ଗୁଣମଣି ଝୁରି ଝୁରି ମରିବି । ଘୋଷା ।
ତୁ ମୋହର ମୁଁ ତୋର ନ କରିବୁ ଅନ୍ତର
ମାରୁଅଛି ପଞ୍ଚଶର ଦହୁଅଛି ଶରୀର । ୧ ।
ସୁନ୍ଦର ତୋ ଲଲାଟ ପଡ଼ୁଛି ଆଲଟ
ଗଜଦନ୍ତ ପଲଙ୍କରେ ଆଉ ନାହିଁ ତୋ ଭେଟ । ୨ ।
କୋକିଳ ପରି ବାଣୀ କହୁ ଚତୁରୀମଣି
ଭ୍ରୂଲତା ଶୋଭା ତୋହର ଇନ୍ଦ୍ରଧନୁକୁ ଜିଣି । ୩ ।
କି ସୁନ୍ଦର ଧନକୁ ଚାହିଁ ତୋ ବଦନକୁ
ଯେତେ ଯେତେ ଦୋଷ କଲି ନ ଘେନିବୁ ମନକୁ । ୪ ।
ରସବତୀ ରସିବ କାନ୍ତ କୋଳେ ବସିବ
ଭଣେ ଉପଇନ୍ଦ୍ର ଭଞ୍ଜ ଚାରିଚକ୍ଷୁ ମିଶିବ । ୫ ।