(ବନମାଳୀ— ରାଗ କୀରବାଣୀ, ତାଳ ଯତି)
ଆଗୋ ସଖୀ
ପାଶୋରି ନୁହେଁ ଗିରିଧାରୀକି ।
ପାଶୋରି ନୁହେଁ ଗିରିଧାରୀକି ଲୋ
ମୂରୁଛି ନୁହେଁ ଗିରିଧାରୀକି । ଘୋଷା ।
ଆନ କିଛି ନ ରୁଚେ । ଆଖି ଭିତରେ ନାଚେ ।
କଳଙ୍କ ହେଲା କୁଳନାରୀଙ୍କି । ୧ ।
ସେ କି ଗୋକୁଳବାସୀ । ମହା ମୋହନ ଫାଶି ।
ଆସି ରହିଛି ନନ୍ଦପୁରୀକି । ୨ ।
ଚାହିଁବା ମାତ୍ରେ ମନ । ହରେ ମତିମୋହନ ।
ଏତେକ ନ ପାରିଲି ତରକି । ୩ ।
କି କୋମଳ ବଚନ । ପବିତ୍ର ଅପଘନ ।
ଲୋଚନ ବେନି କାମଛୁରୀ କି । ୪ ।
ଲେଖିଦେବି ମୁଁ ଖତ । ଲୋକ ପଣେ ଦେଖତ ।
କେ ଆଣି ଦେବ କାଲି ପରି କି । ୫ ।
ବନମାଳୀ କହଇ । ରାଗରେ ଯେ ଚାହଁଇ ।
ସେ ସିନା ଯାଏ ଏତେ ସରି କି । ୬ ।