(ବନମାଳୀ— ରାଗ ପରଜ, ତାଳ ଆଠତାଳି)
ଆହା କି ଦଣ୍ଡ ଆସି ପଡ଼ିଲା
କାନ୍ତ ଆସିବା କଣ୍ଟ ଗଡ଼ିଲା
କଣ୍ଠୁ ରତନ ହାର ତୁଟିଲା
କେଶୁ କୁସୁମ ଗଭା ଲୁଟିଲା । ଘୋଷା ।
ବିଦେଶେ ଗଲା ବେଳେ କହିଗଲେ
ଯାଇଣ ଆସିବି ବୋଲି ବୋଇଲେ
କେଉଁ ନାରୀ ତାଙ୍କୁ କି ମନ୍ତ୍ର ପଢ଼ାଇ
ମୋର ଗଳାକୁ କାଟିଲା । ୧ ।
ନାଥର ହୃଦୟ ପଥର ହେଲା
କେ ପ୍ରୀତି ପାସୋରା ମନ୍ତର ଦେଲା
ଏକାଳେ ଏକାକୀ କିପରି ବଞ୍ଚିବି
ଭୁଜଙ୍ଗ ଭକ୍ଷ ରଟିଲା । ୨ ।
ସାହା କେହି ନାହିଁ ନାହା ବାହାରେ
ଯାହା ହୁଏ ଦେହ ସ୍ମର ଦାହାରେ
ହୃଦର ବେଦନା କାହାକୁ କହିବି
ନୀରେ ଉରଜ ବୁଡ଼ିଲା । ୩ ।
ରାଧା ବିରହ ବ୍ୟାଧି ସଖୀ ଦେଖି
ବନମାଳୀ ବୋଲେ ଶୁଣ ଗୋ ସଖୀ
ମଥୁରାରୁ କୃଷ୍ଣ ଲେଉଟି ଆସନ୍ତେ
କୁବୁଜା ମନ ମୋହିଲା । ୪ ।