(ଯଦୁମଣି— ରାଗ ଆହାରୀ, ତାଳ ଆଠତାଳି)
ଆହା କି କର୍ମ କଲି
ଜାଣି ଜାଣି ତ ବୁଦ୍ଧି ହୁଡ଼ିଲି । ଘୋଷା ।
ଆସିବା କାଳରେ ସୁମନା ମଣ୍ଡନା
ସୁମନାର ମନା ବାଣୀ ଯେ
ନ ଘେନିଲି ତିଳେ ପଡ଼ି ପାଦ ତଳେ
କରୁଥିଲା ଯା ଦଇନି ଯେ । ୧ ।
ଯୋଷାରତନର ଓଷା ମୋ ବଚନ
ପାଳିବାର ପ୍ରତି ନିତି ଯେ
ଖୋଷା ମଞ୍ଜୁଳାକୁ ଏକାକିନୀ କରି
ବିଦେଶରେ ଦେଲି ମତି ଯେ । ୨ ।
କେଡ଼େ ପରମାଦ ପଡ଼ିଲା ଆସି ତ
ବିଚାରି ପାରିଲି ନାହିଁ
କ୍ରୋଡ଼େ ଘେନି ଗାଢ଼େ ନିଶି ଯା ନ ନେଲି
ଧନକୁ ମୂର୍ଚ୍ଛିଲି କାହିଁ ଯେ । ୩ ।
ଯଦୁମଣି ଭଣେ ଅଦୂରେ ଦେଖି ଯେ
ଆହାଲାଦେ ଭାଷେ ବାଣୀ
ସେ ଦୁଃଖପାଶୋରା ନାଗରୀ ହୀରାକୁ
ଦୂର କଲି ଜାଣି ଜାଣି ଯେ । ୪ ।