(କବିସୂର୍ଯ୍ୟ— ରାଗ ମାଳବଗୌଡ଼ା, ତାଳ ରୂପକ)
ଆହା ମୋ ଖଞ୍ଜନାକ୍ଷୀ
ଅନଙ୍ଗେ ମୋ ବିନା ଦୁଃଖୀରେ ।
ଅବନୀରେ ଢଳି ପଡ଼ିବାରୁ ତୋଳି
ଧରୁଥିବେ ପ୍ରିୟସଖୀରେ । ଘୋଷା ।
ଅହର୍ନିଶ ଝୁରି ଝୁରି
ଅତି କୃଶ କୃଶୋଦରୀ
ଇନ୍ଦୁକଳା ତନୁ ତାକୁ ନିନ୍ଦିବନି
ତାର ତାର ତନୁଶିରୀରେ । ୧ ।
ଅଶ୍ରୁଭରେ ନେତ୍ର ବେନି
ଅବିରତେ ପୂରିବନି
ଅସାର ମାର ଅକୂପାରେ ପଡ଼ିଣ
ମୃଦୁହାସୀ ଭାସିବନିରେ । ୨ ।
ଆଭରଣ ଦୂର କରି
କେଉଁ କୁମ୍ଭପୟୋଧରୀ
ଅମଳ ମୃଣାଳ ଖଣ୍ଡ ପାଣି ପିଣ୍ଡେ
ମଣ୍ଡୁଥିବଟି କିପରିରେ । ୩ ।
ଅବଧିରେ ତେଜି ଆଶା
ଅଧିକରେ ଅଭରସା
ଅତି ଶ୍ୱାସଖର ପଡ଼ୁଥିବ ପରା
ହେବନି ଦଶମ ଦଶାରେ । ୪ ।
ଅଷ୍ଟଦୁର୍ଗେଶ୍ୱର ଭଣି
ଅଭିନବ ରାମାମଣି
ଉମାଧବ କୃପା ସତେ ହେବ ଅବା
ଜୀବ ଯିବା ଯାଏ ପୁଣିରେ । ୫ ।