(ସୋମନାଥ ସିଂହ— ରାଗ ପଞ୍ଚମ ବରାଡ଼ି)
ଆହେ ବଂଶୀଧର
କି ଅପରାଧ କରିଛି ସହୀ ମୋର
ଶୟନ ପୂର୍ଣ୍ଣ ସେ ଜର ତାପେ ହୁଏ ଥରଥର
ତହିଁକି ପ୍ରହାରେ ହରପର ହେ । ଘୋଷା ।
ନାଗର ରତନ ଥାଉ ତା ଦୁଃଖ ନ ଗଲା ଆଉ
ଝରଝର ନେତ୍ରୁ ବହେ ନୀର
ଯେତେ କହିଲେ ନ ବୁଝେ ତୁମ୍ଭରି ନାମକୁ ଭଜେ
ଉର ହାର ମଣେ ହର ହାର ହେ । ୧ ।
ଶୀର୍ଣ୍ଣ ହୋଇଅଛି ରାମ ସେ ବିବେକୀ ଗୁଣ ଧାମ
ଚନ୍ଦ୍ର ମୁଖ ବିରସ ତାହାର
ନୋହିବାରୁ ତୁମ୍ଭ ସ୍ନେହ କ୍ଷଣକୁ କ୍ଷଣ ମୋହ
ଏ କି ଦଶା ଗଜଗମନାର ହେ । ୨ ।
ପିକଭାଷୀ ମନ୍ଦହାସୀ ଚାରୁ ଚତୁରୀ ସୁକେଶୀ
ହେଲା ଆସି ଯେତେ ନାରଖାର
କି ଗୁଣେ ତୁମ୍ଭଙ୍କୁ ରସି ଆନ ତାହାକୁ ନ ଦିଶି
ଭାସିଲାଟି ତୁମ୍ଭ ଗଳାହାର ହେ । ୩ ।
ଏ ନୁହେଁ ପୀରତି ରୀତି କେବଳ ଛାତିକି ପତି
ଜୀଇଁବାରୁ ଭଲ ମରିବାର
ଶୁଣି ରମଣୀ ଆତୁର ହସିଲେ ଶ୍ୟାମସୁନ୍ଦର
ଭାଷେ ସୋମନାଥ ବୀରବର ହେ । ୪ ।