(ବନମାଳୀ— ରାଗ ବଙ୍ଗଳାଶ୍ରୀ, ତାଳ ଝମ୍ପା)
ଆହେ ଜଗବନ୍ଧୁ ତୁମ୍ଭ ବିନୁ ମୁହିଁ
ନ ଜାଣେ ଆନ ଦେବତା
ଆପଣ କରୁଣା ଊଣା କଲେ ଆଉ
ନାହିଁଟି କେହୁ ରଖନ୍ତା । ଘୋଷା ।
ସ୍ୱପନରେ ଦିନେ ଚାହିଁ ନାହିଁ ରହି
ତପନକୁ ଭଲ କରି
ଜପ ନ କରଇ ଶରଧାରେ ପଞ୍ଚ
ଲପନଙ୍କ ନାମ ଧରି । ୧ ।
ସର୍ବତୋ ପ୍ରକାରେ ନ ପ୍ରବର୍ତ୍ତେ ଚିତ୍ତ
ପର୍ବତ ନନ୍ଦନା ଠାରେ
ଖର୍ବ ତନୁରେ ମୁଁ ନ କରଇ ସ୍ତୁତି
ପର୍ବ ତିଥି ମାନଙ୍କରେ । ୨ ।
ଶ୍ରୁତିରେ ନ ଶୁଣେ ରତିଏ ବସି ମୁଁ
ସ୍ମୃତି ଯାହା ଛନ୍ତି ଲେଖି
ସ୍ଫୁର୍ତ୍ତି ନୁହଇ ଆନ ଦେବୀ ଦେବତା
ମୂର୍ତ୍ତି ତୁମ୍ଭର ନିରେଖି । ୩ ।
ମନ ବଚନ କର୍ତ୍ତବ୍ୟରେ ତୁମ୍ଭର
ଅନବରତରେ ମୁହିଁ
ଅବଧାନ ନ ହୋଇଲେ ମୁଁ ଭାସିଲି
ବନମାଳୀ ଏତେ କହି । ୪ ।