(ବନମାଳୀ— ରାଗ କାମୋଦୀ, ତାଳ ଆଦିତାଳ)
ଆହେ ନୀଳାଚଳ ପ୍ରତାପ ଆପଣଙ୍କର ଗଲା କାହିଁ
ମୋହ ବିପତ୍ତି କୁମ୍ଭୀର ଶିରକୁ ତ ଅସିଧାର ନ କାଟଇ । ଘୋଷା ,
କୁମ୍ଭୀର ଡାକ ଶୁଣିଲ ଶତ ଯୋଜନରେ ଥିଲ କିଞ୍ଚିତରେ
ନିକଟେ ଡାକକୁ ମୋର ମୃଦୁ ଶ୍ରବଣ କୁହର କି ଚିତ୍ତରେ । ୧ ।
ନବନୀତ ପ୍ରାୟ ଦ୍ରବି ଯାଅ ଅପର ତାପ ଦେଖି ହୁଅ ଦୁଃଖୀ
ଦୀନବାନ୍ଧବ ପଦବୀ ଛାଡ଼ିଦେଲ କିମ୍ପା ଦ୍ରବି ମୋତେ ଦେଖି । ୨ ।
ଧନ୍ୟ ମୋହର ପାତକ ତୁମ୍ଭେ ହେଉଛ ଆତଙ୍କ ମୋତେ ଚାହିଁ
ଅଜାମିଳ ପୁଣ୍ୟ ଟେକ ସଙ୍କେତରେ ଦେଲା ଡାକ କଲ ତ୍ରାହି । ୩ ।
ପତିତ ତାରଣ ହୋଇ ଆଉ କେ ଅଛନ୍ତି ଦିଅ କହି
ବନମାଳୀ ଦୁଃଖ ସହି ସଂସାର ବିନାଶ ପାଇଁ ଭଜୁଥାଇ । ୪ ।